ଧ୍ଵଂସ ପରର ସୁର୍ଯୋଦୟ
ଧ୍ଵଂସ ପରର ସୁର୍ଯୋଦୟ
ଧ୍ଵଂସସ୍ତୁପରୁ ବହି ଆସେ ସମ୍ଭାବନାର ନବ ସ୍ରୋତସ୍ଵିନୀ
ଝଡଟା ଫେରିଗଲା ପରେ।
ଭଙ୍ଗା ଅଣ୍ଟା ମାନ ସଳଖି ଉଠନ୍ତି
ଦେଖିବାକୁ ଚିକମିକ କରୁଥିବା ନବ ସୂର୍ଯ୍ୟୋଦୟ,
ଯିଏ ରାତିକୁ ଭୁଲିବାକୁ ବାରମ୍ବାର ଚେତାଇ ଦେଉଥାଏ
ଓ ଦିନଟା ଅନେକ ଲମ୍ବା ବୋଲି ଚିହ୍ନାଇ ଦେଉଥାଏ।
ଏଠି ଶୂନ୍ୟ ବୋଲି କିଛି ନ ଥାଏ
ନା ପୂର୍ଣ୍ଣ ବୋଲି କେଉଁଠି ବି ସନ୍ତୁଷ୍ଟି ନ ଥାଏ
କିନ୍ତୁ ଆଶାର ଜୀବସାର ଭରପୁର ମାତ୍ରାରେ ଥାଏ
ଯାହା ଯେତେ ସବୁ ଅଭାବ ବୋଧକୁ ଭରିଦେଇ ଥାଏ
ଜୀବନ ଏଠି ବାରମ୍ବାର ନଇଁଯାଏ ଅଦେଖା ଆଘାତରେ
ଓ ପୁନର୍ବାର ସାଷ୍ଟମ ହୁଏ ସମୟର ଆହୁଲା ପବନରେ।
କ୍ଷତ ଚିହ୍ନ ସବୁ ଏବେବି ସତେଜ ଆଣ୍ଠୁ ଓ କହୁଣୀରେ
ଦରଜ ମାନେ ବି ବିଳପି ଉଠୁଛନ୍ତି ଆହତ ପ୍ରାଣରେ
ଅନେକ କିଛି ଉଡ଼ାଇ ନେଇଛି ଝଡ଼
ଏବେବି ହିସାବ ମିଳେନା ଭାସି ଯାଇଛି କେତେ କଣ
କିନ୍ତୁ ସକାଳର ସୂର୍ଯ୍ୟୋଦୟରେ ନିଜ ଛାଇ ବେଶ୍ ବାରି ହୁଏ
ନିଜ ଅସ୍ତିତ୍ୱର ଆଶ୍ୱାସନାରେ ଦମ୍ଭ ଧରି ସେ ପୁଣି ଠିଆ ହୁଏ।
ନୃଶଂସ ନିୟତିର ଫେରନ୍ତା ପଦଚିହ୍ନ ଧୀରେ ଧୀରେ ଲିଭେ
ବର୍ତ୍ତି ଯାଇଥିବା ପକ୍ଷୀ ମାନଙ୍କର ବାର୍ତ୍ତାଳାପ ନୂଆ ନୂଆ ଶୁଭେ
ଏବେ ସବୁ ଅସଜଡାକୁ ସଜାଡ଼ିବାର ବେଳ
ଭଙ୍ଗା ମନକୁ ସାଉଣ୍ଟିବାର ବେଳ
ଜିତିବା ହାରିବାର ଯେତେ ସବୁ ବଡ଼ ବଡ଼ କଥା କାଲିକି ଥାଉ
ଏଇ ଆଜିକ ନୂଆ କରି ଜୀଇଁ ନେବା ଏହାହିଁ ପାଥେୟ ହେଉ।
