ଧାଇଁ ଯାଆନ୍ତି ପୁରୀ
ଧାଇଁ ଯାଆନ୍ତି ପୁରୀ
ମନ ଚାହୁଁଛି-ଜଗାକାଳିଆ
ଲଗାନ୍ତା ଯଦି ଡୋରି,
ତା' ଦେଖା ପାଇଁ ବାଉଳି ହୋଇ
ଧାଇଁ ଯାଆନ୍ତି ପୁରୀ ।
ନିଅନ୍ତି ସାଥେ ତା' ଲାଗି କିଛି
ସୁଆଦ ଚିଜ କରି,
ସରୁ ଚକୁଳି, ଆରିସା, ମଣ୍ଡା
ଏଣ୍ଡୁରି ଆଉ ଖିରି ।
ବୁଲି ଦେଖନ୍ତି ଶ୍ରୀକ୍ଷେତ୍ର ଧାମ
ସରାଗେ ମୁହିଁ ଅତି,
ବଡ଼ ଦାଣ୍ଡରେ ମୁଣ୍ଡିଆ ମାରି
ଆନନ୍ଦେ ଗଡ଼ିଯା'ନ୍ତି ।
ଚକାଆଖିକୁ ଦେଖିକି ତା'ର
ଯୋଡ଼ି ଦିଅନ୍ତି ହାତ,
ଆପଣାଛାଏଁ ଗାଇ ଉଠନ୍ତି
"ଜୟ ଶ୍ରୀ ଜଗନ୍ନାଥ" ।
ସାଥିରେ ନେଇଥିବା ଦରବ
ଦିଅନ୍ତି ମନେ କରି,
ମହାପ୍ରସାଦ ଖାଆନ୍ତି ତା'ର
ଖୁସିରେ ମନ ଭରି ।
ବାକି ଯେତେକ ତିରିଥ ସେଠି
ଦେଖନ୍ତି ଗୋଟି ଗୋଟି,
ଏତେକ ଯଦି କରନ୍ତା କୃପା
ଧନ୍ୟ ମୁଁ ହୋଇଯା'ନ୍ତି ।
