ଦଗ୍ଧିତ ଧରଣୀ
ଦଗ୍ଧିତ ଧରଣୀ
ଦଗ୍ଧିତ ଧରଣୀ ଦଗ୍ଧାୟୀତ ଆଜି
ନିଦାଘର ଜ୍ୱଳନରେ
ରୁକ୍ଷ,କର୍କଶ ଓ ସନ୍ତାପିତ ଦେହୀ
ବୈଶାଖ ରୌଦ୍ରତାପରେ।
ଶୂନ୍ୟତାରେ ପୂର୍ଣ୍ଣ ପ୍ରଚଣ୍ଡ ଯେ ଗ୍ରୀଷ୍ମ
ଉତ୍ତପ୍ତ ବାୟୁ ପ୍ରବାହ
ତେଜୋବ୍ଦୀପ୍ତ ଭିମରୌଦ୍ର ଅଂଶୁମାନ
ବିନାଶରେ ଅବଗାହ।
ଜଳଶୂନ୍ୟ ପୁଣି ନଦୀ, ନିର୍ଝରିଣୀ
ଅବସାଦେ ପ୍ରାଣୀଜନ
ହତଶ୍ରୀ ହେଉଛି ସବୁଜିମା ବନ
ତରୁ,ତୃଣ ଯେ ମଳିନ।
ଅଗ୍ନିର ବର୍ଷଣ ତପନ କିରଣ
ଦିନୁ ଦିନ ତେଜୀୟାନ
ନିଦାଘ ଦହନ ଅପ୍ରମିତ ବାଣ
ବନାଗ୍ନି କରେ ଦହନ।
ପ୍ରାଣୀଙ୍କର ଦୁଃଖ ଅତି ଅପ୍ରମିତ
ଦକ୍ଷିଣା ବାୟୁ ପ୍ରବାହେ
ଡହଳ ବିକଳ ଧରଣୀର କୋଳ
ଅସହ୍ୟ ଯନ୍ତ୍ରଣା କୋହେ।
ବିକାଶ ନାମରେ ବିନାଶ ଚାଲିଛି
ଚ୍ଛିନ୍ନ ବିଚ୍ଛିନ୍ନ ତା ତନୁ
ନଷ୍ଟ,ଭ୍ରଷ୍ଟ ଆଉ ପାପିଷ୍ଠ ମାନଙ୍କୁ
ପ୍ରକାଶ କରେନା ମନୁ।
ତୃଷାରେ ଆତୁର ଅସହ୍ୟ ପ୍ରବର
ଶୁଷ୍କ ତଡାଗ,ନିର୍ଝର
ମରୀଚିକା ଭ୍ରମ କରୁଛି କାନନ
ଜଳ ନିମନ୍ତେ ଆତୁର।
ଶ୍ରମ ବିନା ଘର୍ମ ନିର୍ଗତ ହୁଅଇ
ଶ୍ରାନ୍ତକ୍ଳାନ୍ତ ପ୍ରାଣୀଜନ
ଆପଣା ହସ୍ତରେ ଚ୍ଛେଦେ ସ୍ଵୟଂଭାଗ୍ୟ
ବିଧି ବିଚିତ୍ର ବିଧାନ।
ଆକଣ୍ଠ ଚିତ୍ତରେ ମରଣକୁ କରେ
ହୃଦୟରୁ ଆମନ୍ତ୍ରଣ
ଜଙ୍ଗଲ ବିନାଶେ ପ୍ରାସାଦ ଗଢଇ
ଗର୍ବେ ନଭଶ୍ଚୁମ୍ୱୀମାନ।
ନୟନୁ ବହଇ ତାର ଅଶ୍ରୁଧାର
କ୍ଷତ ବିକ୍ଷତ ଶରୀର
ଦୁଃଖରେ କହଇ ହେ ସନ୍ତାନ ମୋର
ଧ୍ଵଂସଲୀଳା ଶେଷକର।
ଆକସ୍ମିକ ବିପର୍ଯ୍ୟୟ ତୁ ଭୋଗିବୁ
ଅଂଶୁଘାତର ପ୍ରହାର
ଝଡ଼ବାତ୍ୟା ଆଉ ମରୁଡ଼ିର ଖେଦ
ଭୋଗିବୁ କ୍ରୋଧରେ ମୋର।