ଦଗ୍ଧିଭୁତ ହୁଏ ବୈଶାଖ
ଦଗ୍ଧିଭୁତ ହୁଏ ବୈଶାଖ
ତପନର ତାପରେ ତପ୍ତ ତପୋବନ
ଭାଙ୍ଗିରୁଜି ଯାଏ ଶାନ୍ତ ସୁଧାର ବାତାବରଣ
ତପ୍ତ ତୁଳିତଳ୍ପ ଶଯ୍ୟାରେ ଶାନ୍ତିର ନିଦ୍ରାଭାଙ୍ଗି
ଉଜାଗରେ ସାରା ରାତି ହୁଏ ଅତିବାହିତ
ନିଦାଘର ଗ୍ରୀଷ୍ମ ପ୍ରବାହ ଜଳୁଛି ଯେତିକି
ଜାଳିଦିଏ ଏ ବସୁନ୍ଧରା ତା'ଠୁ ବେଶୀ
ରୁଟି ସେକାର ଗରମରେ ସିଝିଯାଏ ଦେହ
ଓଦା ଗାମୁଛା ଚିପୁଡିଲା ପରି ବହି ପଡ଼େ
ଅନବରତ ଗମ୍ ଗମ୍ ସର ସର ଝାଳ।
ଆଶାର ଡାଳେ ସପନ କଳିକା ସବୁ
ଦୁବ ପରି ମଉଳି ସୁଖି ହୁଏ କେରା କେରା
ଦୂରେଇ ଦିଏ ଫୁଟି ମହକିବାର ସଞ୍ଚିତ ସୁଖ
ପ୍ରଖର ଉତ୍ତାପରେ ମଧ୍ୟାହ୍ନ ଚହଟେ
ଭାଜି ଦିଏ ଜୀବନକୁ ଖଇ ଭାଜିଲା ପରି
ଅସ୍ତବ୍ୟସ୍ତ ଛଟପଟର ଏ ଦଗ୍ଧିଭୁତ ବୈଶାଖ
ଝାଞ୍ଜି ପବନର ଉଦ୍ଦାମତା ଅନିୟନ୍ତ୍ରିତ
ଗଛଛାଇ ଛାତତଳେ ଆଶ୍ରିତର ଦୀର୍ଘ ନିଶ୍ଵାସ
ବଞ୍ଚିବାକୁ ହେଉଥାଏ ଗେଣ୍ଡା ପରି ସଂକୁଚିତ।
ବେଳେ ବେଳେ କାଳ ବୈଶାଖୀ ଆସି
ଫାଳ ଫାଳ କରି ଭାଙ୍ଗି ଦେଇ ଆକାଶ
ଉଜାଡ଼ି ଦିଏ ସଜଡ଼ା ସଂସାରର ହସଖୁସି
ପ୍ରତିକୂଳର ପ୍ରତିବନ୍ଧକରେ ପ୍ରଭାବିତ ହୋଇ
ସାଧାରଣ ଜୀବନଯାତ୍ରା ହୁଏ ବିପର୍ଯ୍ୟସ୍ତ
ପ୍ରକୃତିର ନିଷ୍ଠୁର କ୍ରୁରତା ହୁଏନା ସହ୍ୟ କରି।
ସୁବର୍ଣ୍ଣ ଆଉଟିଲା ପରି ଏ ଦଗ୍ଧ ବୈଶାଖ
ଆଉଟି ଦିଏ ଜୀବଜଗତର ଭୂଗୋଳ
ସ୍ଵଭାବରେ ମିଶ୍ରିତ ଖାଦକୁ ପୃଥକ୍ କରେ
ଆଗାମୀ ଦିନକୁ ଜୀବନର ପ୍ରଗତି ପଥେ
ଐଶ୍ୱର୍ଯ୍ୟର କାରୁକାର୍ଯ୍ୟ ପୂର୍ଣ୍ଣ ଅଳଙ୍କାର ଗଢି
ହେବାକୁ ଅଭିନବ ରୂପରେ ଅଳଙ୍କୃତ।