ଦେଶ ପାଇଁ ଦିନଟିଏ
ଦେଶ ପାଇଁ ଦିନଟିଏ
ସ୍ୱାଧୀନତା ସୂର୍ଯ୍ୟ ଉଇଁ ଆସୁଥିଲା
ଗଗନ ପବନ ଛୁଇଁ
ପ୍ରକମ୍ପିତ ହେଲା ଭୂମିରୁ ଭୂମାକୁ
ଅଜସ୍ର କଷଣ ଫେଇ l
ଉଣେଇଶି ଶହ ସତଚାଳିଶି ବର୍ଷ
ଅଗଷ୍ଟ ପନ୍ଦର ଦିନ
ଏ ଦେଶ ମାଟିରେ ଆନନ୍ଦ ଖେଳାଇ
ଆମେ ହେଲୁରେ ସ୍ୱାଧୀନ l
ପରାଧୀନତାର ଶିକୁଳି ଛିଣ୍ଡାଇ
ମାଆ ମାଟି ହେଲା ମୁକ୍ତ
ଆକାଶ ବୁକୁରେ ଉଡିଲା ତ୍ରିରଙ୍ଗା
ହିଆ କରି ପ୍ରକମ୍ପିତ l
ଅହିଂସାର ମନ୍ତ୍ରେ ଯିଏ ଚଖାଇଲା
ସ୍ୱାଧୀନତାର ସେ ସ୍ୱାଦ
ଜାତିର ଜନକ ବାପୁଜୀ ହେ ତୁମ
ଚରଣରେ ପ୍ରଣିପାତ l
ସୁଭାଷ ବୋଷ୍ ଙ୍କ ରକ୍ତାକ୍ତ ଆହ୍ୱାନ
ରକ୍ତ ଦିଅ ରକ୍ତ ଦିଅ
କଣ୍ଟାର ଜବାବ କଣ୍ଟାରେ ଦେବାରେ
ସ୍ୱାଧୀନତା ପାଇଁ କୁହ l
ଦାନ ମାଗି କେହି ସ୍ୱାଧୀନ ହୋଇନି
ଜାତିର ଏ ସ୍ୱାଭିମାନ
ଗୋଟିଏ ମାଆର କୋଟିଏ ସନ୍ତାନ
ଆମେ ପରା ଆୟୁଷ୍ମାନ l
ଗର୍ବେ ଗଢ଼ି ଦେଲୁ ଏ ଦେଶ ବୁକୁରେ
ମୁକ୍ତିର କୀର୍ତ୍ତି ସ୍ତମ୍ଭ
ଜାତୀୟତା ମନ୍ତ୍ରେ ଉଦବୁଦ୍ଧ ହେଲୁ
ବଢ଼ାଇଲୁ ଗଉରବ l
ସ୍ମୃତି ଭିଜା ସେହି ଅତୀତ ପୃଷ୍ଠାରେ
ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ
ଆର୍ଯ୍ୟଭୂମିର ଏ ଜନ ମାନସରେ
ସ୍ବୀକାରୋକ୍ତି ଅନୁବନ୍ଧ l
ହୀରକ ଜୟନ୍ତୀ ପାଳୁଅଛି ଆଜି
ମୋ ଦେଶ ଭାରତ ମାତା
ଜୟ ଜାୟାକାରେ ଉଲ୍ଲସିତ ହୁଏ
ପୁଷ୍ପ ତ୍ରିରଙ୍ଗା ଶୋଭିତା l
ବିଜୟେ ଉଡ଼ାଇ ଜାତୀୟ ପତାକା
ନୀଳ ନଭ ଶୋଭାଙ୍ଗନେ
ଜନଗଣମନ ଜାତୀୟ ସଙ୍ଗୀତ
ବାଜି ଉଠେ କାନେ କାନେ l
କେତେ ସୁର ବୀର ଏ ମାଟି ସନ୍ତାନ
ଅନ୍ଧକାର କାରା ଗୃହେ
ଲହୁ ଲୁହ ଢାଳି ସହିଲେ କଷଣ
ଇତିହାସ ଆଜି କହେ l
ସେହି ସ୍ମୃତି ଆଜି ଉଜ୍ଜୀବିତ ହୁଏ
ମୁକତିର ପୁଣ୍ୟ ତିଥି
ନାଚିବା, ଗାଇବା, ଖୁସି ମନାଇବା
ଦିନଟିଏ ଯାଉ ବିତି l
ଗୋଟିଏ ଦିନରେ କୋଟିଏ ଯୁଗର
ସୁଖ ଆମେ ସାଉଁଟିବା
ଶାଣିତ କରିବା ଜାତୀୟତାବାଦ
ବନ୍ଦେ ଭାରତ ମାତା l