ଦେଖେଇ ଜାଣେନା ବୋଲି
ଦେଖେଇ ଜାଣେନା ବୋଲି
ଦେଖେଇ ଜାଣେନା ବୋଲି,
ଆଦେଖା ମୁଁ ରହିଗଲି
କିଏ ବା ଜାଣିବ କାହୁଁ
ଦେଖେଇ ଜାଣେନା ବୋଲି ।
ନ ତିଅଣ ଛ ଭଜା
ପରସି ଆସୁଛି ନିତି
ଆଦର ପାଏନା କିନ୍ତୁ,
ଚଖେଇ ଜାଣେନା ବୋଲି ।
ସମ୍ପର୍କର ସୂତା ଖିଅ,
ଅଡ଼ୁଆ କେମିତି ହେଲା
ମୁଠେଇ ଧରି ତ ଥିଲି,
ଗୁଡେଇ ଜାଣେନା ବୋଲି ।
ବାଟ ଦେଖେଇ ଥିଲି ମୁଁ,
ଚାଲୁଛ ବି ସେହି ପଥେ
ଗୁରୁ ହୋଇ ପାରିଲିନି,
ଶିଖେଇ ଜାଣେନା ବୋଲି ।
ତୁମେ ସିନା ଭୁଲିଗଲ,
ତୁମକୁ ମୁଁ ଭୁଲିନାହିଁ
ମନ ତଳେ ସାଇତିଛି,
ହଜେଇ ଜାଣେନା ବୋଲି ।
ହସ ଟିକେ ବାଣ୍ଟିବାର
ପ୍ରତିଶ୍ରୁତି ଦେଇଥିଲି।
ଲୁଚି ଲୁଚି କାନ୍ଦୁଛି ମୁଁ
କନ୍ଦେଇ ଜାଣେନା ବୋଲି ।
ଭାବିଥିଲି ଚୋରେଇବି,
ତୁମଠୁଁ ତୁମର ମନ।
ହେଲେ ଧାରା ପଡ଼ିଗଲି,
ଚୋରେଇ ଜାଣେନା ବୋଲି ।
ସରଗ କୁ ନିଶୁଣିଟେ ,
ଆଜି ବି ବାନ୍ଧୁଛି ନିତି।
ନୋହେ ବିରତ ବାମନ
ହାରିବା ଜାଣେନା ବୋଲି ।
