STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଦେଖା ତୋ ମାଟି ଖିଆ ପାଟି

ଦେଖା ତୋ ମାଟି ଖିଆ ପାଟି

2 mins
14


ଧନ ଜନ ଗୋପ ଲକ୍ଷ୍ମୀ ରହି ଥିଲା

ନନ୍ଦ ରାଜା ଘରେ ପୁରି

ଦୁଧ ଦହି ସର ଖାଇବା ଦରବ

ସବୁ କିଛି ଥିଲା ଭରି

ଯଶୋଦା ମାଆର ହାତ ଖୁଆ ଖାଇ

ପୁଣି କାହ୍ନୁ କରେ ଚୋରି

ଚୋରି କରି ଅବା ଲୁଚେଇ ଖାଇଲେ

କାହ୍ନୁ ଖୁସି ହୁଏ ଭାରି 

ବାଳୁତ ବୟସ ଅଝଟ ପଣିଆ

ଦେଖିଛି ଯଶୋଦା ମାଆ

ଶୋଇବା ସମୟ କେବଳ ନୀରବ

ଅନ୍ୟବେଳେ କୌତୁକିଆ

ସବୁ ଦିନ ଅଭିଯୋଗ ଆସୁଥିଲା

କହ୍ନେଇ କରିଛି ଚୋରି

କିଏ କହେ ମୋର ମାଠିଆ ଭାଙ୍ଗିଛି

ନଟ ଖଟ ପୁଅ ତୋ'ରି

ଯାହା ପଚାରିଲେ ନାହିଁ କରେ କାହ୍ନା

ମୁଁ କିଆଁ କରିବି ଚୋରି

ଅନ୍ୟ ସାଙ୍ଗ ମାନେ ଚୋରି କରୁ ଥିଲେ

ସାଥିରେ ଥିଲି ତାଙ୍କରି

ବୁଲେଇ ବଙ୍କେଇ କେତେ କଥା କହେ

ମାଆ ମନ ଭୁଲି ଯାଏ

ତଥାପି କାହ୍ନା କୁ ଦୁଷ୍ଟ ନ ହେବାକୁ

ନିତି ମାଆ କହି ଥାଏ


ଆଜି କିନ୍ତୁ କାହ୍ନା ମାଟି ଖାଇ ଅଛି

ଦେଖିଛି ଯଶୋଦା ମାଆ

ମାଟି ଖିଆ କଥା ରାଜି ହେବ ନାହିଁ

କାହ୍ମା ପଛେ ହେଲେ ଠିଆ

ମୁଣ୍ଡକୁ ଆଉଁସି କହିଲେ ଯଶୋଦା

କଅଣ କରୁ କହ୍ନେଇ 

ଡାକି ଡାକି ଖୋଜି ଦେଖିଲିନି କାହିଁ

ଡାକ ଶୁଣିଛୁ ନା ନାହିଁ

ଘଡ଼ିଏ ନ ଦେଖି ମନ ହୁଏ ଦୁଃଖୀ

ତୁ ପରା ମୋର ଜୀବନ

ହୃଦ ତାପ ନିବାରଣ ପାଇଁ ତୁହି

ସମାନ ହରିଚନ୍ଦନ


ତୋ ପାଟି ରେ ମାଟି ଲାଗି ଅଛି କିମ୍ପା

ଖାଇଚୁ କି ବାଲି ମାଟି

ଥରେ ସତ କଥା କହିଦେ ରେ କାହ୍ନା

କିମ୍ପା ତୁ ଖାଇଛୁ ମାଟି

ଉଁ ହୁଁ ଉଁ ହୁଁ ହେଲା ମୁଣ୍ଡକୁ ହଲେଇ

ନ ଖାଇବାର ଇଶାରା

ଯଶୋଦା ମାଆ ର ସବୁ ପ୍ରଶ୍ନ ପାଇଁ

କାହ୍ନୁ କହେ ନାହିଁ ପରା

ଯଦି ଖାଇ ନାହୁଁ,ହେଉ ସତ କଥା

ତଥାପି ଖୋଲ ତୋ ପାଟି

ପାଟି ନ ଦେଖିଲେ ଛାଡିବିନି ଆଜି

ପାଟି ରେ ଲାଗିଛି ମାଟି


ବୁଝିବା ଅବସ୍ଥା ନାହିଁ ମାତାଙ୍କର

ଜାଣିଲେ ନନ୍ଦ ନନ୍ଦନ

ମାତାଙ୍କୁ ଅନେଇ ଖୋଲି ଦେଲେ ପାଟି

ସନ୍ଦେହ ହେଲା ମୋଚନ

ଯଶୋଦା ମାଆ ର ଆଖି ଖୋଲି ଗଲା

ଦେଖିଲେ ବିଶ୍ଵ ବ୍ରହ୍ମାଣ୍ଡ

ସ୍ଵୟଂ ନାରାୟଣ ନର ରୂପ ଧରି

କରୁଛନ୍ତି ଏତେ କାଣ୍ଡ!!

ମାତାଙ୍କୁ ଦେଖାଇ ନିଜର ସ୍ବରୂପ

କାହ୍ନୁ ଡାକେ ମାତା ମାତା

କଣ ଦେଖିଲ ମୋ ପାଟି ଭିତରେ

କୁହ ଏବେ ସତ କଥା


ପାଟି ଭିତରେ ବି କାହ୍ନୁ ବସିଅଛି

ଯଶୋଦା ହୋଇଛି ଠିଆ

ଗୋପ ପୁର ଠାରୁ ଆରମ୍ଭ ହୋଇଛି

ଅଛି ସମ୍ପୂର୍ଣ୍ଣ ଦୁନିଆ

ଅଚେତ ହୋଇଲେ ଦେଖି ଦେଖି ଦୃଶ୍ୟ

ଧନ୍ୟ ମାଆ ଓ ମମତା

ଯୁଗ ଯୁଗ ପାଇଁ କଥା ରହିଗଲା

ମାଆ ହିଁ ଅପରାଜିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract