ଦେଇଛ କି ଟିକେ ମମତା ଛିଞ୍ଚି...?
ଦେଇଛ କି ଟିକେ ମମତା ଛିଞ୍ଚି...?
ଦୁର୍ବିସହ ଜୀବନର ଅଗାଧ ଯନ୍ତ୍ରଣା ସହି ସହି
ଜଳୁଛ ଜାଳୁଛ କଞ୍ଚା ଦେହ ମନକୁ କେମିତି...?
ଆପତ୍ତି ଅଭିଯୋଗ କର ସଦାସର୍ବଦା
ଦୋଷାରୋପ କରି ଚାଲିଛି କେବଳ ଅନ୍ୟକୁ
ଅଶାନ୍ତି ଅସନ୍ତୋଷରେ ରହିଛ ଏକା ଏକା ବଞ୍ଚି
ଥରେ ତ ନିଜକୁ ନିଜେ ପ୍ରଶ୍ନ କରି ଖୋଜ
କ'ଣ ଅଛି ତୁମର ତ୍ୟାଗର ଅନୁଦାନ ଅବଦାନ
କେବେ କାହାର ଦୁଃଖ ଅସହାୟତାରେ
ଦେଇଛ କି ଟିକେ ମମତା ଛିଞ୍ଚି...?
ଦୁନିଆଁ ସାରାର ଯେତେ ବି ନିବିଡ଼ ସମ୍ପର୍କ
ଲହୁର ହେଉ କି ଲୁହର ସବୁ ମମତାରେ ବନ୍ଧା
ଯେମିତି ଦେବ ସେମିତି ହିଁ ପାଇବ
ବିନିମୟରେ ଚାଲେ ସବୁ ସୃଷ୍ଟିର ନିୟମ ନୀତି
ଅସତ୍ୟ ଅଧର୍ମ ଅନ୍ୟାୟରେ ପୁଣ୍ୟ ହୁଏନା ସଞ୍ଚି
ବିଛୁଆତି ବୁଣି କିଆରି ଯାକ ଖୋଜିଲେ ଅବା
କାହୁଁ ମିଳିବ ଘର ଅଗଣାରେ ତୁଳସୀ...
ନିଜର କଲ୍ୟାଣ ହୁଏ ନାହିଁ କେବେ
ମନରେ ପ୍ରାଣରେ ଅନ୍ୟର ଅମଙ୍ଗଳ ପାଞ୍ଚି।
ଜଳାଇ ରଖିଥିଲେ ଆଲୁଅ ପାଇଁ ଦୀପଟିଏ
ତା' ପାଖକୁ ଅନ୍ଧାର ଆସି ପାରେ କି...?
ସତ୍ୟ ଧର୍ମ ନ୍ୟାୟ ନିକଟରେ ପରାଜିତ
ହୋଇଥାନ୍ତି ଯେତେ ଛଳନା ପ୍ରତାରଣା ପ୍ରବଞ୍ଚନା
କୁହୁଡ଼ିରେ ସନ୍ତରଣ ସମ୍ଭବ ହୁଏ କି...?
ମା'ର ମମତା ଅମୃତ ନାହିଁ ତା'ର କୁପ୍ରଭାବ
ନିର୍ମଳ ପବିତ୍ର ହୃଦୟରୁ ଝରୁଥାଏ ଅନବରତ
ସେ ମମତା ପାଏ ଯିଏ ହୁଏ ନାହିଁ କୃତଘ୍ନ
ଦାନର ପ୍ରତିଦାନ ନିଶ୍ଚେ ଦେଇଥାଏ ସେ ବିଞ୍ଚି
ହୃଦୟରେ ନ ରଖି କିଛି ସ୍ଵାର୍ଥର ବିକାର ବିଦ୍ୱେଷ
ନ୍ୟାୟୋଚିତ ଆଚରଣେ ହୁଏ କି ପାପ...?
ଥିଲେ ଅନ୍ୟ ପ୍ରତି ଦୟା ସଦ୍ଦିଚ୍ଛା ସହଯୋଗ
ମିଳିଥାଏ ସହାନୁଭୂତି ଅନୁକମ୍ପା ବିପଦେ ଅମାପ
ସବୁ କ୍ରିୟାର ପ୍ରତିକ୍ରିୟା ଅଙ୍ଗାଙ୍ଗୀଭାବେ ଜଡ଼ିତ
ତା'ର ସମ ନ ମିଳି ଯଦି ମିଳୁଥାଏ ବିଷମ
ଅନୁଭବେ କର ଦେଇଛ କି ଟିକେ ମମତା ଛିଞ୍ଚି ?
ଭଲ ପାଇବା ବଦଳରେ ମିଳେ ଭଲ ପାଇବା
ଘୃଣା ବିନିମୟରେ ମିଳିଥାଏ ତଦୃପ ଘୃଣା
ଏ ଧ୍ରୁବ ସତ୍ୟତାର ନିୟମ ହୁଏ କି ଭଙ୍ଗ...?
ସୂର୍ଯ୍ୟ ଚନ୍ଦ୍ରର କିରଣକୁ ମେଘ ଢ଼ାଙ୍ଗେ ସାମୟିକ
ମାତ୍ର ବାସ୍ତବରେ ତାଙ୍କର ହୁଏ କି କିଛି କ୍ଷୟ...
ପାଇବା ଆଶା ନେଇ କର୍ମ ସ୍ଵାର୍ଥ ଜନିତ
ନିଷ୍କାମ ଶାଶ୍ୱତ ପ୍ରେମ ହିଁ ତ ଜୀବନର ମନ୍ତ୍ର
ହୃଦୟକୁ ଦେଉଥାଏ ଶାନ୍ତି ତୃପ୍ତି ଅବିରତ
ହସ ଖୁସି ଆନନ୍ଦରେ ସାରା ଜୀବନ ହୁଏ ବଞ୍ଚି
ଯଦି ମିଳୁ ନାହିଁ ଏତେ ସବୁରୁ କିଛି ବି
ସେ ପ୍ରାରବ୍ଧ...ଭାଗ୍ୟର ବିପର୍ଯ୍ୟୟ ବା ବିଡ଼ମ୍ବନା
ଭାବି ଦେଖ ଦେଇଛ କି ଟିକେ ମମତା ଛିଞ୍ଚି...?