STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ-ତୃତୀୟ କଳିକା

ଦେବଯାନୀ-ତୃତୀୟ କଳିକା

2 mins
242


ରାଗ:---ବଙ୍ଗଳାଶ୍ରୀ 

-------------------------

ସନ୍ଧ୍ୟା ପ୍ରବେଶନ୍ତେ ପରାଚୀ ଦିଗନ୍ତେ

ଉଦେ ହେଲେ ପୂର୍ଣ୍ଣ ଶଶି,

ଆଶ୍ରମ ପ୍ରାଙ୍ଗଣେ ବୁଣି ହୋଇଗଲା 

ବିପୁଳ ଜୋଛନା ରାଶି।


ଅବଲୋକି ଦେବଯାନୀ ମୁଖ ବିଭା

କି ଭାବିଲେ ପୂର୍ଣ୍ଣଜହ୍ନ,

ମେଘ ଅନ୍ତରାଳେ ଲୁଚିଯାଇ ହେଳେ 

ଲୁଚାଇ ଦେଲେ ଲପନ ।


କରିବାକୁ ଗମ୍ୟ, ଶଶିଙ୍କ ସୁଗମ 

ଆଶ୍ରମର ପୋଷା ଶାରୀ,

ଡାକିଲା " ମନ୍ଦିରେ ଆସ ଦେବଯାନୀ

ପୂଜା ହେଉଅଛି ଡେରି ।"


ମନ୍ଦିରେ ଆଳତି ପୂର୍ଣ୍ଣ କରି ଯତି 

ଶୁକ୍ର କରନ୍ତେ ବିଶ୍ରାମ,

ଅଲିଅଳୀ କନ୍ୟା ଦେବଯାନୀ ଆସି

କରିଲା ପାଦେ ପ୍ରଣାମ।


ପଚାରିଲା ଦେବଯାନୀ ' ହେ ଜନକ !

ସଂଶୟ ମୋ କର ଦୂର ,

କାହିଁପାଇଁ ବୃଷପର୍ବାଙ୍କ ରାଜ୍ୟରେ

ନିବାସ ଅଟେ ଆମ୍ଭର ?


ଦେବତା ହୋଇ ବି ଦାନବ ଶକ୍ତିର

ଗୁରୁ ତୁମ୍ଭେ କାହିଁପାଇଁ ?

କି କାରଣେ ଦେବ ସଙ୍ଗେ ତୁମ୍ଭ କଳି

ସଂଶୟ ଦିଅ ଫିଟାଇ ।"


ଶୁଣି ଦେବଯାନୀ ପ୍ରଶ୍ନ ଶୁକ୍ରମୁନି

ହୋଇଲେ ଭାବ ପ୍ରବଣ,

ହୃଦୟ ଫଳକେ ହେଲା ପ୍ରତିଭାତ

ଜୀବନ ବିଗତ ଦିନ।


ବୋଇଲେ " ମା'ତୋର ପ୍ରଶ୍ନର ଉତ୍ତର 

ଶୁଣ ଧନ ଦେବଯାନୀ,

ଜନକ ମୋହର ଭୃଗୁ ଋଷିବର

'କାବ୍ୟା" ଅଟନ୍ତି ଜନନୀ।


ବେଦ ଶିକ୍ଷା ଅର୍ଥେ 'ଅଙ୍ଗିରା"ଙ୍କ ହସ୍ତେ 

ଗୁରୁକୁଳେ ଦେଲେ ପିତା,

ମୋ ସମବୟସ ବୃହଷ୍ପତି ସଙ୍ଗେ

ହେଲା ମୋ ତହିଁ ମିତ୍ରତା ।


ଏକ ସଙ୍ଗେ କରୁଥିଲୁ ବିଦ୍ୟା ଶିକ୍ଷା

ଗୁରୁକୁଳେ ବେନି ମିତ୍ର,

ଜାଣିଲି ଅଚିରେ, ଥିଲେ ବୃହଷ୍ପତି

ଋଷି ଅଙ୍ଗିରାଙ୍କ ପୁତ୍ର।


ବିଚକ୍ଷଣ ବୁଦ୍ଧିବଳେ ହେଲି ହେଳେ

ଶସ୍ତ୍ରେ ଶାସ୍ତ୍ରେ ଧୂରନ୍ଧର, 

ଦେଖି ମୋ ପ୍ରଗତି ଅଙ୍ଗିରାଙ୍କ ମତି

ଈର୍ଷାରେ ହେଲା ଜର୍ଜ୍ଜର।


ପକ୍ଷପାତ ନୀତି ଧରି ମହାଯତି 

ମୋରେ କଲେ ହେୟଜ୍ଞାନ,

ନିଜ ପୁତ୍ର ବୃହଷ୍ପତିଙ୍କୁ ଗୋପନେ 

କରୁଥିଲେ ଶିକ୍ଷାଦାନ।


ଆଶ୍ରମେ ଇତର ଦେଇ କାର୍ଯ୍ୟଭାର

ଶିକ୍ଷାରୁ କଲେ ବଂଚିତ,

କାନ୍ଦିଲା ଅନ୍ତର ଦେବଯାନୀ ମୋର

ଦେଖି ଏହି ପକ୍ଷପାତ।


ଶିକ୍ଷା ତ ପବିତ୍ର ଜାହ୍ନବୀର ସ୍ରୋତ

ଈର୍ଷା ଯେବେ ତହିଁ ମିଶେ, 

ହୁଏ ତାହା ପୁତିଗନ୍ଧମୟ ନର୍କ

କଳ୍ମଷ ତହିଁ ପ୍ରବେଶେ।


ଶିକ୍ଷାଦାନ ସମ ଯେ ପବିତ୍ର କର୍ମ

କରି ତାକୁ କଳୁଷିତ, 

ଆଶ୍ଚର୍ଯ୍ଯ ! ଅଙ୍ଗିରା ମହାଜ୍ଞାନୀ ମଧ୍ୟେ

ହୁଅନ୍ତି ପରିଗଣିତ।


ମହାଦୁଃଖେ ତେଜି ଅଙ୍ଗିରା ଆଶ୍ରମ

ଗୌତମଙ୍କ ଗୁରୁକୁଳେ,

କରି ମୁଁ ସମାପ୍ତ ଶିକ୍ଷା ଶସ୍ତ୍ର ଶାସ୍ତ୍ର 

ଫେରିଲି ଦେବଲୋକରେ ।


ସେ ସମୟେ, ଶିକ୍ଷାଅନ୍ତେ ବୃହଷ୍ପତି 

ପହଞ୍ଚିଲେ ଦେବ ଲୋକେ,

ଜ୍ଞାନ ଗୌରବରେ ଦୁହିଁଙ୍କ ମଧ୍ୟରେ

ଶ୍ରେଷ୍ଠ ଥିଲି ମୁଁ ତ୍ରିଲୋକେ।


ଏ ବଡ ଆଶ୍ଚର୍ଯ୍ଯ ! ଦେବଲୋକେ ମଧ୍ୟ 

ହେଲା ସେହି ପକ୍ଷପାତ, 

'ଦେବଗୁରୁ' ପଦେ ବୃହଷ୍ପତି ହେଲେ

ସ୍ୱର୍ଗପୁରେ ନିର୍ବାଚିତ ।


ବ୍ରହ୍ମା,ବିଷ୍ଣୁ, ଇନ୍ଦ୍ର, ଶିବ,ଅଗ୍ନି, ଚନ୍ଦ୍ର 

ବରୁଣ,ସୂର୍ଯ୍ୟ, କୁବେର, 

ଦେଲେ ସନମତି ,ହେଲେ ବୃହଷ୍ପତି 

ସ୍ୱର୍ଗପୁରେ ଗୁରୁବର।


ସେହିଦିନୁ ଦେବତାଙ୍କ ପ୍ରତି ଘୃଣା

ପ୍ରବଳ ହେଲା ମୋ ମନେ,

ତେଜି ସ୍ୱର୍ଗକ୍ଷେତ୍ର ବଳାଇଲି ଚିତ୍ତ

ଦାନବେ ଶିକ୍ଷା ପ୍ରଦାନେ।


କ୍ରମଶଃ- ----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics