STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଦେବଯାନୀ (ଅଷ୍ଟମ କଳିକା)

ଦେବଯାନୀ (ଅଷ୍ଟମ କଳିକା)

1 min
139

ଆଗେ ଚାଲନ୍ତି ଦେବଯାନୀ ବାଳୀ  

ବିହଙ୍ଗେ ଚଳନ୍ତି କରି କାକଳୀ, 

ମୃଗ,ଶଶକ ଡେଇଁ ଆନନ୍ଦରେ,

ଚାଲୁଥାନ୍ତି ଋଷିକନ୍ୟା ସଙ୍ଗରେ ଯେ,

ପଛେ ବୃହଷ୍ପତି ସୁତ ଯେ,

ଚାଲନ୍ତି ଗୁରୁଙ୍କ ଦରଶନ ପାଇଁ, 

ମନେ ଆଶା ଅପ୍ରମିତ ଯେ


ଦେଖି ଅଜ୍ଞାତ ଯୁବା ଆଗମନ,

ଶୁକ୍ରାଚାର୍ଯ୍ୟ ହେଲେ ଧ୍ୟାନେ ମଗନ, 

ପାଇ ପରିଚୟ ତପୋବଳରେ,

ପହଞ୍ଚିଲେ ଆର୍ଯ୍ୟ ଆଶ୍ରମଦ୍ୱାରେ ଯେ,

ଗୁରୁଙ୍କୁ ପ୍ରଣମି କଚ ଯେ ,

ମଥାରେ ହୋଇଲେ ବୋଳି ପାଦଧୂଳି,

ଆଶିଷ ଦେଲେ ଆଚାର୍ଯ୍ୟ ଯେ


ପ୍ରତୀତ ହେଲା ସେ କାଳେ ଏମନ୍ତ, 

ପ୍ରଣମନ୍ତି କି ଧବଳ-ପର୍ବତ ,

ହିମବନ୍ତ ପାଦେ ଭକତିଭରେ,

ଶ୍ୱେତଶ୍ମଶ୍ରୁ ଦିଶେ ହିମପ୍ରକାରେ ଯେ,

ଦେଉଛନ୍ତି ଆଶୀର୍ବାଦ ଯେ,

ଜ୍ଞାନଗରିମାର ହିମାଦ୍ରି ପର୍ବତ, 

ଶୁକ୍ରାଚାର୍ଯ୍ୟ ପୂଜାସ୍ପଦ ଯେ


ଗୃହ ଅନାମୟ ପୁଚ୍ଛନ୍ତି ଆର୍ଯ୍ୟ, 

'କୁଶଳେ ଅଛନ୍ତି ତ ଦେବାଚାର୍ଯ୍ୟ

ପଚାରନ୍ତି ଆଗମନ କାରଣ,

କଚ ବୋଲନ୍ତି 'ପ୍ରଭୁ କି ନଜାଣ ହେ,

ଜ୍ଞାନ-ସିନ୍ଧୁରୁ ବିନ୍ଦୁଏ ହେ,

କର ମୋତେ ଦାନ ହେବ ଏ ଜୀବନ,

ଅନ୍ଧ ଚକ୍ଷୁପ୍ରାପ୍ତି ପ୍ରାୟେ ହେ


ତୁମ୍ଭେ ପ୍ରଭୁ ଆକାଶେ ଘନଘୋର,

ତୃଷିତ ଚାତକ ମୁହିଁ ଧରାର,

ଶାସ୍ତ୍ରେ,ଶସ୍ତ୍ରେ ଅନଭିଜ୍ଞ ମୁଁ ଜଣେ,

ଶ୍ରେଷ୍ଠ ଗୁରୁ ଭାବେ ତୁମ୍ଭକୁ ଗଣେ ହେ,

କର ମୋ ଜୀବନ ସାର୍ଥ ହେ,

ଜ୍ଞାନାଞ୍ଜନ ଦେଇ ଅନ୍ଧକାର ଧୋଇ,

ଦେଖାଅ ଆଲୋକ ପଥ ହେ


କଚ କୁ ଅନାଇଁ ଆଚାର୍ଯ୍ୟମଣି, 

ଧୀରେ ହସିଦେଇ ବୋଲନ୍ତି ବାଣୀ, 

ଗୁରୁଧର୍ମେ ନାହିଁ ନାସ୍ତି ବଚନ,

କିନ୍ତୁ ତୁମ୍ଭ ଲକ୍ଷ୍ୟ ଅଟଇ ଭିନ୍ନ ହେ,

ଫେରିଯାଅ ଆର୍ଯ୍ୟସୁତ ହେ,

ଜ୍ଞାନ ନୁହେଁ, ତୁମ୍ଭ ଆଗମନ ଲକ୍ଷ୍ୟ,

ମୃତ୍ୟୁ ସଂଜୀବନୀ ମନ୍ତ୍ର ହେ


ମନେରଖ ପୁତ୍ର ଏହି ସଂସାରେ,

ମୃତ୍ୟୁ ମହାସତ୍ୟ ତିନିପୁରରେ,

ନକରିବ କେବେ ବ୍ୟର୍ଥ ପ୍ରୟାସ, 

କରିବାକୁ ତୁମ୍ଭେ ମୃତ୍ୟୁକୁ ଦାସ ହେ,

ଗଲେଣି କେ କେତେ ଜନ ହେ,

ଜାଣିପାରିନାହିଁ କେ 'ପ୍ରଭବ ମନ୍ତ୍ର',

ଏକା ଜାଣେ ଭଗବାନ ହେ


ସ୍ରଷ୍ଟା ହେବାପାଇଁ କରିଲେ ଆଶା,

ପାଲଟିବ ଦିନେ ତାହା ଦୁଃରାଶା,

ମୃତ୍ୟୁ ସଂଜୀବନୀ ମନ୍ତ୍ର ମୁଁ ପାଇ,

ମୋ ଜୀବନ ମୋର ହାତରେ ନାହିଁ ହେ,

ମନେରଖ ଦେବପୁତ୍ର ହେ,

ଅପାତ୍ରରେ କେବେ ହୁଏନାହିଁ ଦାନ,

ଜ୍ଞାନର ଅମୃତପାତ୍ର ହେ


ସ୍ୱର୍ଗରେ ଅଛନ୍ତି କେ କେତେ ଜ୍ଞାନୀ

ଗୁରୁ ବୃହଷ୍ପତି ଜ୍ଞାନର ଖଣି,

ତାଙ୍କୁ ତେଜି,ଆସି ଆଶ୍ରମେ ମୋର,

ପ୍ରଶଂସା କରୁଛ ମୋର ଜ୍ଞାନର ହେ,

ବିଶ୍ଵାସ ହେବ କାହାର ହେ

ଜାଣିଲେ ଦାନବେ ତୁମ୍ଭ ଅଭିପ୍ରାୟ, 

ମରଣ ହୋଇବ ସାର ହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract