STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ(୩୯ତମ କଳିକା)

ଦେବଯାନୀ(୩୯ତମ କଳିକା)

1 min
298

ଦେବଯାନୀ ୩୯ତମ କଳିକା ରାଗ:----ବଙ୍ଗଳାଶ୍ରୀ ଶର୍ମିଷ୍ଠା ସୁନ୍ଦରୀ ରୂପେ ସ୍ବପ୍ନପରୀ ହୃଦ ଦୟାର ସାଗର ! ବ୍ୟବହାରେ ଧନୀ ମନ ନିଏ କିଣି, ବାଣୀ କୋକିଳ-କଣ୍ଠୀର। ଚାଲି ଛନ୍ଦଭରା ରାଜହଂସୀ ପରା, ହସରୁ ଝରେ ମୁକୁତା, ଏଣୀ ନୟନାର ବେଣୀ ହଲିଗଲେ କନ୍ଦର୍ପର ବଢେ ଚିନ୍ତା। କୃଶକଟୀ ବାମା ସ୍ୱର୍ଗ ତିଳୋତ୍ତମା ସମ ସ୍ନିଗ୍ଧ ରୂପସ୍ନାତା, ଗୁରୁ ନିତମ୍ବରେ ରୁଣୁ ଝୁଣୁ ନାଚେ ରତନର ଅଣ୍ଟାସୁତା। ଅଶନେ ବ୍ୟସନେ ଭାଷ୍ୟରେ ଗମନେ ସ୍ପଷ୍ଟ ରାଜକୀୟ ଠାଣି ନିଜ ଅଜ୍ଞାତରେ ରୂପଗୁଣେ ନେଲେ ଯଯାତି ହୃଦୟ କିଣି। ପୁଷ୍ପ ନଜାଣଇ ଭ୍ରମର କିପାଇଁ ରସେ ଦେଖି ରୂପ ତାର, ପ୍ରସରଇ ଯେବେ ତା ବାସ ଜଗତେ ସେଥିରେ ଦୋଷ କାହାର ? ହସ୍ତିନା ନବର ରାଜବାଟୀକାର ସୁରମ୍ୟ ଏକ ଭବନେ, ଜେମାଙ୍କ ନିବାସ ଆୟୋଜନ ନୃପ କରିଦେଲେ ତତକ୍ଷଣେ। ମୁନି ଉପଦେଶ ହେଜିଣ ନରେଶ ରଖିଲେ ନିଜକୁ ଦୂରେ, କିନ୍ତୁ ଅଜ୍ଞାତରେ ହୃଦୟ ମୁକୁରେ, ବାଳାରୂପ ଉଙ୍କିମାରେ। ଯେତେ ମନାକଲେ ମନା ନ ମାନିଲେ ରାଜାଙ୍କ ବେନି ନୟନ, ରହିଲେ ଆତୁରେ ଦର୍ଶନ ଆଶାରେ ଶର୍ମିଷ୍ଠା ଚାରୁ ଲପନ। ଦେବଯାନୀ ସଙ୍ଗେ ପ୍ରଣୟ ସୁରଙ୍ଗେ ଥିଲା ବେଳେ ନରବର, ପୀରତି ସମୟେ ନେତ୍ରେ ଭାସିଯାଏ ଶର୍ମିଷ୍ଠା ରୂପସମ୍ଭାର। ନେତ୍ର ଦେଖୁଥାଏ ଦେବଯାନୀ ରୂପ, ମନ ଖୋଜେ ରାଜବାଳା, ରାଜାଙ୍କ ବାସ୍ତବ ଥିଲେ ଦେବଯାନୀ ସ୍ଵପ୍ନ ଶର୍ମିଷ୍ଠା ସୁଶୀଳା। ଦେବଯାନୀପ୍ରେମ ନୃପେ ଦେଲା ଭ୍ରମ ଯଥା ଅଗ୍ନିର ସ୍ଫୁଲିଙ୍ଗ, ଭାଳନ୍ତି ନୃପତି ଶର୍ମିଷ୍ଠା ଅଟନ୍ତି ଶୀତଳ ଜ୍ୟୋତ୍ସ୍ନା ତରଙ୍ଗ। ଦେବଯାନୀ ପ୍ରେମ ବଡବାଗ୍ନି ସମ ପ୍ରତେ ହେଲା ରାଜାଙ୍କର, ହୃଦୟ ତନ୍ତ୍ରୀରେ ଶର୍ମିଷ୍ଠା ତୋଳିଲେ ପ୍ରୀତିର ମଧୁଝଙ୍କାର। କ୍ରମଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics