ଦେବୀ
ଦେବୀ
କଳା କାଇଁଚ ହେ
ଉଦାସରେ କିଆଁ
ଦିଅ ଖାଲି ଥରେ ହସି
ଆସୁଛନ୍ତି ତୁମ
ପ୍ରୀତି ପୁଜାରିଣୀ
ପ୍ରଣୟ ମଧୁ ବରଷି ।
ନୀଳାଚଳେ ରହି
ଜଳୁଛ କି ବନ୍ଧୁ
ପ୍ରାଣପ୍ରିୟା ବିରହରେ
ଅସ୍ଥିର ହୃଦୟ
ବ୍ୟଥିତ ପରାଣ
ଶୂନ୍ୟତାର ଅଭିସାରେ ।
ମନେ ପଡୁଛି କି
ଗୋପ ବୃନ୍ଦାବନ
ନୀଳ ଯମୁନାର ଜଳ
ମଧୁ ମାଳତୀରେ
ଖଞ୍ଜା କୁଞ୍ଜବନ
ଗୋପ ଗୋପାଙ୍ଗନା ମେଳ ।
ବଂଶୀ ଡାକୁଛି କି
ରାଧା ରାଧା ବୋଲି
ନୀରବ ନିଶିଥେ କାହିଁ
ଖୋଜୁଛି କି ମନ
କଦମ୍ବର ବନ
ମଧୁ ସ୍ପର୍ଶ ପ୍ରିୟା ରାଇ ।
ଧରଣୀ ହସୁଛି
ମହକି ବାସୁଛି
କସ୍ତୁରୀ ଚନ୍ଦନ ମଲ୍ଲୀ
ଆକାଶ ଦେହରେ
ଆଙ୍କିଛି ସରାଗେ
ବିବିଧ ଢଙ୍ଗେ ରଙ୍ଗୋଲି ।
କୃଷ୍ଣ ଅଷ୍ଟମୀରେ
ଆସିଥିଲ ତୁମେ
କଳା ମେଘ ପଟୁଆରେ
ଶୁକ୍ଳ ଅଷ୍ଟମୀରେ
ରାଇ ବିନୋଦିନୀ
ଭାଦ୍ରବ ବରଷା ଧାରେ ।
ପ୍ରକୃତି ପୁରୁଷ
ଅପୂର୍ବ ମିଳନ
ହସେ ଗୋପ ବୃନ୍ଦାବନ
ଶ୍ରୀରାଧା ଗୋବିନ୍ଦ
ଯୁଗଳ ମୂରତି
ବିଭୋର ନାଚୁଛି ମନ ।
ରିମଝିମ ତାଳେ
ନାଚୁଛି ବରଷା
ପବନ ଗାଉଛି ଗୀତ
ନଈ ପଠା ଧାରେ
କାଶତଣ୍ଡୀ ହସେ
ମେଲାଇ ଶୁଭ୍ର ପଣତ ।
ଜୟ ରାଧେ ରାଧେ
ନାମ ସଂକୀର୍ତ୍ତନେ
ପାପ ଯାଏ କ୍ଷୟ ହୋଇ
ନିରାକାର ସିଏ
ଶକ୍ତି ସ୍ୱରୂପିଣୀ
ନାରାୟଣୀ ଦୟାମୟୀ ।
ଆସ ଆଦିମାତା
ବୃଷଭାନୁ ସୂତା
ଦିଅ ଆଶିଷ ବରଷି
ହଟିଯାଉ ଦୁଃଖ
ସଭିଙ୍କ ମନରୁ
ଜଗତରେ ଭରୁ ଖୁସି ।