ଦେବୀ ମାଆ ଶୈଳପୁତ୍ରୀ
ଦେବୀ ମାଆ ଶୈଳପୁତ୍ରୀ
ବସନ୍ତେ ବାସନ୍ତୀ ଶରତେ ଶାରଦା
ସ୍ଵରୂପେ ମାଆ ପୂଜା ପାଆନ୍ତି ସଦା ଯେ ,
ଅବତରୀ ଆସନ୍ତି ସେ ଧରାଧାମେ
ତାଙ୍କ ପାଦପଦ୍ମେ ଭକତ ପ୍ରଣମେ ଯେ ।
ଶାରଦୀୟ ନବରାତ୍ରେ ନଅ ରୂପ
ନେଇ ଆଦିଶକ୍ତି ନାଶିଥାନ୍ତି ପାପ ଯେ ,
ମାତୃ ଉପାସନାର ପୂଜା ଅର୍ଚ୍ଚନା
ଷୋଡ଼ଶୋପଚାରେ ହୁଏ ସମ୍ପାଦନା ଯେ ।
ମହାଳୟା ପରେ ଶୁକ୍ଳ ପ୍ରତିପଦ
ଆଦିମାତା ହୋଇଥାନ୍ତି ଆବିର୍ଭାବ ଯେ,
ପ୍ରଥମ ଦିବସେ ଦେବୀ ଶୈଳପୁତ୍ରୀ
ସ୍ଵରୂପିଣୀ ହୋଇଥାନ୍ତି ଜଗଦ୍ଧାତ୍ରୀ ଯେ ।
ଦକ୍ଷ ପ୍ରଜାପତି କନ୍ୟା ଥିଲେ ସତୀ
ଶିବଙ୍କୁ ବରି ନିନ୍ଦା ପାଇଲେ ଅତି ଯେ,
ଯଜ୍ଞ ଅଗ୍ନି କୁଣ୍ଡେ ସତୀ ଦେଲେ ଝାସ
ପିତା ଅପମାନେ ନିଜେ ହେଲେ ଧ୍ଵଂସ ଯେ ।
ପୁନର୍ଜନ୍ମ ଲଭି ହୋଇଲେ ପାର୍ବତୀ
ଅଦ୍ରିତନୟା ଭାବେ ଅର୍ଜିଲେ ଖ୍ୟାତି ଯେ,
ସଂକଳ୍ପ ପୂର୍ଣ୍ଣ କଲେ ଶିବଙ୍କୁ ପାଇ
କୈଳାସେ ରହିଲେ ହର ଗୌରୀ ହୋଇ ଯେ ।
ଶୈଳଠାରୁ ଜନ୍ମ ଲଭି ଶୈଳପୁତ୍ରୀ
ମାତା କଲ୍ୟାଣମୟୀ ଅଭୟଦାତ୍ରୀ ଯେ,
ଦେବୀ ରୂପେ ଶ୍ରଦ୍ଧା ବିଶ୍ଵାସ ରୂପିଣୀ
କୃପା କରନ୍ତି ଭକତ ମନ ଜାଣି ଯେ ।
ବୃଷାରୁଢ଼ା ଶୁକ୍ଳ ବସ୍ତ୍ର ପରିହିତା
ମସ୍ତକେ ତାଙ୍କ ଅର୍ଦ୍ଧ ଚନ୍ଦ୍ର ଶୋଭିତା ଯେ,
ଦକ୍ଷିଣ ହସ୍ତେ ତ୍ରିଶୂଳ ବାମେ ପଦ୍ମ
ମାତା ଜଗଦମ୍ଵା କରୁଣା ଅସୀମ ଯେ ।
ଶୈଳପୁତ୍ରୀଙ୍କୁ କଲେ ପୂଜା ଅର୍ଚ୍ଚନା
ଭକ୍ତର ପୂର୍ଣ୍ଣ ହୁଏ ମନସ୍କାମନା ଯେ,
ମୂଳାଧାର ଚକ୍ର ହୁଅଇ ଜାଗ୍ରତ
ଦୁଃଖ ଯାଇ ବହୁ ସିଦ୍ଧି ହୁଏ ପ୍ରାପ୍ତ ଯେ ।
ଦେବୀ ମାଆ ଶୈଳପୁତ୍ରୀଙ୍କୁ ନମନ
ସୁରକ୍ଷା ଦେଇ ସେ ରଖନ୍ତୁ ଜୀବନ ଯେ,
ଚରଣେ ତାଙ୍କର ଦିଅନ୍ତୁ ଶରଣ
ଶ୍ରଦ୍ଧା ଭକ୍ତି ପୁଷ୍ପ କରନ୍ତୁ ଗ୍ରହଣ ଯେ ।