ଡର ନାହିଁ ଝିଅ
ଡର ନାହିଁ ଝିଅ
ଆସୁ ଯେତେ ଝଡଝଞ୍ଜା ପ୍ରତିବନ୍ଧ ବାଧା
ଅଲୀଅଳି ସୁକୁମାରୀ ଯାଆନି ତୁ ଡରି,
ରଖି ଦୃଢ ଆତ୍ମବଳ ସମ୍ଭାଳ ନିଜକୁ
ରହିବନି କଳାଛାଇ ଯିବ ଅପସରି ।
ଚିରି ଅନ୍ଧକାର ବୁକୁ ହୁଅ ଗତିଶୀଳ
ସଳଖରେ ଜ୍ଯୋତିକଣ ପ୍ରକାଶ ସୁକନ୍ଯା,
ଚ୍ଛିନ୍ନ କର ହୀନମଣ୍ଯ ନିଗଡ ବନ୍ଧନ
ଅବଳା ଦୁର୍ବଳା ବୋଧ ଚିନ୍ତା ଦୁର୍ଭାବନା ।
ସକୁଶଳ ଶିକ୍ଷାଦୀକ୍ଷା କର୍ତ୍ତବ୍ଯ କର୍ମରେ
ସମତାଳେ ପାଦଥାପି ବଢିଚାଲ ଆଗେ,
ବଞ୍ଚିବାକୁ ସ୍ବାଭିମାନ ମର୍ଯ୍ୟାଦା ସହିତ
ଜାରିରଖ ସୁପ୍ରଚେଷ୍ଟା ସତତ ସଜାଗେ ।
ଲଙ୍ଘି ଉଚ୍ଚ ଗିରି ଶିଖ ଗଭୀର ସମୁଦ୍ର
ଜୀବନ ଘୋର ସଂଗ୍ରାମେ ହୁଅ ତୁ ଉତ୍ତୀର୍ଣ୍ଣ,
ସୁକୋମଳ ତନୁ ତୋର ହେଉ ବଜ୍ରସମ
ବ୍ଯଭୀଚାର ବିଭତ୍ସତା କରୁ ଦଗ୍ଧ ଭସ୍ମ ।
ଅମୃତ ସନ୍ତତି ତୁହି ଅନନ୍ଯା ପ୍ରକୃତି
ଜାଗରିତ କର ଝିଅ ତୋ ପ୍ରାଣ ଶକ୍ତି,
ସବିଧାନ ଅଭୟ ତୋ ସୁରକ୍ଷା କବଚେ
ସରସ ସୁନ୍ଦର ଏଇ ସଂସାର ଓ ସୃଷ୍ଟି ।
