ଡିବିରି ଆଲୁଅ
ଡିବିରି ଆଲୁଅ
ସ୍ମୃତି ଝରକାଟି ଖୋଲିଦେଇ ଦେଖେ
ନାରିକେଳ ଗଛ ଭିଡ଼
ସବୁଜ ବାହୁଙ୍ଗା ପବନେ ଝୁଲଇ
ଦିଶଇ କେଡେ ସୁନ୍ଦର ।
ଗହଳ ବାହୁଙ୍ଗା ଫାଙ୍କରେ ଜହ୍ନଟା
ଅନ୍ଧାର ମୁହଁ ଦେଖାଏ
ସନ୍ଧ୍ୟା ହୋଇଗଲେ ଅନ୍ଧାର ଘୋଟଇ
ବିଜୁଳୀ ବତୀ ନଥାଏ ।
କଳା କିଚି ମିଚି ରାତିର ଅନ୍ଧାରେ
ଡିବିରି ଆଲୁଅ ଜଳେ
ବହି ଖୋଲି ବସେ ଡିବିରିପାଖରେ
ଘୁମେଇ ଯେ ତଳେ ପଡ଼େ ।
ଡିବିରି ଆଲୁଏ ଘର କାମ ସାରି
ପଖାଳ ମୁଠାଏ ଖାଇ
ସଞ୍ଜ ଦୁଇଘଡି ହେଉ ନ ହେଉଣୁ
ଦୁଆର ଯାଏ ଯେ ପଡ଼ି ।
କଳା ମାଖି ହୋଇ ଗାଁ ଦାଣ୍ଡ ମୋର
ଏକୁଟିଆ ଚାହିଁ ଥାଏ
ବରଡ଼ା ପତର ଫାଙ୍କରେ ଜହ୍ନଟା
ମନ ତାର ମୋହ ଥାଏ ।
ଡିବିରି ଆଲୁଅ କାଳି ଅନ୍ଧାରରେ
ଦେଖିଛି ମାଆ କଷଣ
ପତର ଜାଳରେ ଘରର ରୋଷେଇ
ଧାନ ସିଝାଇବା ଦିନ ।
ଡିବିରି ଆଲୁଏ ରାତି ପାହାନ୍ତାରୁ
ଦେଖିଛି ତା ବିରି ବଟା
ଖରା ନ ଆସୁଣୁ ବଡି ବସାଏ ସେ
ଘରର ତିଅଣ ଚିନ୍ତା ।
ବିଦ୍ୟୁତ ନଥିଲା ପରବ ପର୍ବାଣୀ
ସ୍ନେହ ସରାଗରେ ହୁଏ
ଭୋଜି ଭାତ ପାଇଁ ପେଟ୍ରୋମାକ୍ସ ଆସେ
ଶ୍ରଦ୍ଧାର ତରଙ୍ଗ ଛୁଟେ ।
ଡିବିରି ଆଲୁଅ ସ୍ମୃତିର ଘରେ ମୁଁ
କ୍ଳାନ୍ତି ଝଲକ ପାଇନି
ଖାଲି ନିରଳସ ମଣିଷ ଦେଖିଛି
କର୍ତ୍ତବ୍ୟରେ ସେ ହାରିନି ।
ଡିବିରି ଆଲୁଅ ସ୍ମୃତି ଘରେ କେବେ
ଅହଙ୍କାର ଦେଖିନାହିଁ
ମୁଁ ମୁଁ ହୋଇ ଗରବ କରିବା
କେବେ କାହା ଠୁ ଶୁଣିନି ।
କଷ୍ଟ ଥିଲା ହେଲେ ମନ ଦୃଢ ଥିଲା
ପରିବ୍ୟାପ୍ତ ମନୋବଳ
ମାନସିକତା ଯେ ଦୀପ୍ତିମୟ ଥିଲା
ଦୁଃଖେ ସୁଖେ ସର୍ବେ ଏକ ।
ଡିବିରି ହଜିଲା ଅନ୍ଧାର କମିଲା
ଗାଁ ଆଲୋକିତ ହେଲା ହେଲେ,
ମାନସିକତା ଯେ ଅନ୍ଧାରେ ଡୁବିଲା
ସ୍ୱାର୍ଥ କଲ ବଲ କଲା ।
ତମସା ହଜିଲା ସଙ୍ଗେ ନେଇଗଲା
ମଣିଷ ପଣିଆ ଯେତେ
ସହଯୋଗ ଭାବ ବନ୍ଦୀ ହୋଇ ଗଲା
ନକାରାତ୍ମ ଭାବନାରେ ।
