ଦାୟିତ୍ୱ
ଦାୟିତ୍ୱ


ଦିନେ ଗାଁ ମୁଣ୍ଡର ବୁଢା ବରଗଛର ହେଲା ମୃତ୍ୟୁ ,
ନାଁ କେହି କାନ୍ଦିଲେ ନାଁ କେହି ଆଲୋଚନା କଲେ,
ବରଂ ପ୍ରତିଯୋଗିତା ଆରମ୍ଭ ହେଲା ନିଜ ଭିତରେ,
ନିଜର ନିଜର ଅଧିକାରପଣିଆ ଦେଖାଇବାକୁ ଜୋରକରି ।
ହେଲେ କୋଉ ସେ ନଟ ମଉସା ଅଛିଯେ,
ପାକୁଆ ପାଟିରେ ବର ବର ହୋଇ ଧାଇଁ ଆସିବ,
ବୁଢା ବୟସରେ ତର ତର ହୋଇ ଆସିଥିବାରୁ ,
ଲଥ କରି ଗଛ ମୂଳରେ ଘଡ଼ିଏ ବସିପଡିବ ।
କିଏ କେତେ କାଠ ନେବ ସେଥି ପାଇଁ ଟଣାଓଟରା ,
କିଏ ଭାର ବାହୁଙ୍ଗିରେ ତ କିଏ ଟ୍ରଲିରେ ବୁହାଇ,
ବେଶ କିଛି ସମୟ କୁସ୍ତି କସରତ ଚାଲିଲା,
ବୁଢା ଗଛଟାର ଶରୀରକୁ ଖିନ ଭିନ କରିବାକୁ ।
ସବୁକିଛି ସରିଗଲା ପରେ ଖାଁ ଖାଁ ଗାଁ ମୁଣ୍ଡ ଛକ,
ସୁମିତ୍ରା ମା ଆସି ଗଡାଇ ଚାଲିଛି ଲୁହର ଧାର,
ସେ ପୂଜୁଥିବା ଗଛଟା ଆଜି ସର୍ଵମୁଁହରେ ସ୍ୱହା ,
ତା ମୂଳର ଠାକୁରଠାକୁରାଣୀ ଆଜି ରାସ୍ତାକଡ଼ରେ ଫୁଙ୍ଗୁଳା ।
ସମସ୍ତେ ଆଜି ନିଜ ନିଜ ଘରରେ ବିଶ୍ରାମରତ ,
ଝାଉଁ ଝାଉଁକା ଖରାର ପ୍ରକୋପ ବଢ଼ିବାରେ ବ୍ୟସ୍ତ,
ହେଲେ ଅଶ୍ୱସ୍ଥ ଗଛଟା ନୀରବରେ ଏକା ଦଣ୍ଡାୟମାନ,
ନିଜ ସାଥି ଗଛକୁ ଅଦିନରେ ନିଜଠାରୁ ବିଦାୟ ଦେଇ ।
ନଟ ମଉସା ର ଆତ୍ମାଟା ଉପରେ ଭାରି କାଉଲ ବାଉଲ,
କଣ କରିପାରିବ ସେ ନିଜ ଦାୟିତ୍ୱକୁ ନେଇ,
ତାର ଆଉ କୋଉ କାହାପରେ ଜୋର ଆଛିଯେ,
ସମସ୍ତେ ପରା ନିଜ ହାତରେ ଚାଖଣ୍ଡ ଦାୟିତ୍ୱକୁ ଫୁର କରିବାକୁ ।
ଦାୟିତ୍ୱଟା ଯେବେ ନିଜର କବର ନିଜ ହାତରେ ଦେଇଦିଏ,
ଶବ ବୋହିବା କଥା କିଏ କାହାକୁ ପଚାରେ,
ବିଶ୍ୱାସ ସେବା ଦାନ ପରୋପକାରର ଜୁଇ ଏଠି ନିତି ଜଳେ,
ସେଦିନରୁ ଗାଁ ମୁଣ୍ଡ ଆଜିଯାଏ ଶ୍ରୀହୀନ ଶ୍ରୀହୀନ ଲାଗେ ।।।