ଦାୟିତ୍ୱ
ଦାୟିତ୍ୱ


ସୂରୁଜ ଆସନ୍ତି ମୁରୁଜ ପକେଇ
ନେଇ କିରଣର ମାଳି
ସନ୍ଧ୍ୟା ଆଣେ ପୁଣି ଶାନ୍ତିର ବାରତା
କେତେ ତାରା ଫୁଲ ତୋଳି
ନିଜର ଦାୟିତ୍ୱ ପାଳି
ସରବେ ହସାନ୍ତି ଏଇ ପୃଥିବୀକୁ
ସ୍ୱାର୍ଥକୁ ଦେଇଣ ବଳି
ସଂସାର ଦାୟିତ୍ୱ ନିଏ ମା ଧରଣୀ
କେତେ ଦୁଃଖକଷ୍ଟ ସହି
ଛାତି ଚିରି ତାର ମୁକୁତାକୁ ଦିଏ
ଜଗତ ମଙ୍ଗଳ ପାଇଁ
ଜୀବନର ଗୀତ ଗାଇ
ଦାୟିତ୍ୱ ନାଁରେ କରମର ଡ଼ଙ୍ଗା
ଆଗକୁ ନିଅନ୍ତି ବାହି
ପିତା ମାତା ପୁଣି ସନ୍ତାନ ଦାୟିତ୍ୱ
ହରଷେ ତୁଲାଉ ଥାନ୍ତି
ନିଜ ପେଟ କଥା ଭୁଲି ଯାଇ ମାଆ
ସବୁ ଯେ ପରସି ଦ୍ୟନ୍ତି
ସେ ଯେ ମମତା ମୂରତି
ବାପା ପୁଣି ନେଇ ସଭିଙ୍କ ଦାୟିତ୍ୱ
ଦିଅନ୍ତି ସାହାସ ଶକ୍ତି
ବଡ଼ଙ୍କ ଦାୟିତ୍ୱ ବଡ଼ ତୁଲାଅନ୍ତି
ସାନଙ୍କ ଦାୟିତ୍ୱ ସାନ
ଗୃହିଣୀ ତୁଲାଏ ଗୃହର ଦାୟିତ୍ୱ
ଛାତିକୁ କରି ପାଷାଣ
ସହି ଦୁଃଖ କଷ୍ଟ ମାନ
ପୁରୁଷ ବି ହୁଏ ପୁରୁଷ ଉତ୍ତମ
ତୁଲାଇ ଦାୟିତ୍ୱ ମାନ
ଦାୟିତ୍ୱବୋଧ ଯେ ସଂସାରେ ଦୁର୍ଲ୍ଲଭ
ନରକୁ କରେ ମହାନ
ଦାୟିତ୍ୱ ପାଳେ ଯେ ସୁଚାରୁ ରୂପରେ
କର୍ମବୀର ସେହି ଜାଣ
କର୍ମ ତାର ଭଗବାନ
ସେହି ସିନା ଲେଖେ ସଂସାର ସନନ୍ଦେ
ଅମ୍ଳାନ ଅକ୍ଷରମାନ