ଦାଦନ ମୁହିଁ
ଦାଦନ ମୁହିଁ


ପ୍ରୟାସର ଅନ୍ତରାଳେ
ପ୍ରଚେଷ୍ଟାର ମୁଣ୍ଡ ଟେକି,
ସୁଦୂର ଗାଁରୁ ଆସି
ଦାଦନ ଖଟେ ଅଣ୍ଟା ଭିଡ଼ି ।
ଦାଦନର ବୋଝ ମୁଁ ଯେ
ମୁଣ୍ଡରେ ମୁଣ୍ଡେଇ,
ଦି ଓଳି ଦି ମୁଠା ଖାଇବାକୁ
କଷ୍ଟ ଯାଏ ସହି ।
ଲୁପ୍ତ ପ୍ରାୟ ଆଜି ମୋର
ଅସୁମାରୀ ଆଶା,
ଆଖିର ଲୁହ ବଖାଣୁଛି
ହୃଦୟର ଭାଷା ।
ଦାଦନ ମୁହିଁ ଖଟିବା ପରା
ଭାଗ୍ୟରେ ଲେଖା,
ନିଜ ହସ ଖୁସିକୁ ଆପଣେଇ
ପରିବାରକୁ କରେନା ଅଣଦେଖା ।
ଟଙ୍କାର ଲାଳସାରେ ନୁହେଁ
ଜମା ମୁଁ ବନ୍ଧା,
ଜିଇଁବାର କାରଣ ସାଜିଛି
ମୋ ପରିବାରର ସ୍ନେହ ଶ୍ରଦ୍ଧା ।
କେତେ ଯେ ପୁନେଇ ପରବ
ଏକା ମୁଁ ପାଳିଛି,
ରୋଗର ଶଯ୍ୟାରେ ନିଜେ ନିଜର
ସାହାରା ସାଜିଛି ।
ଦୁଃଖ ନାହିଁ ମନେ ତିଳେ
ଏ କଷ୍ଟ ଜୀବନ ପାଇଁ ,
ଦୁଃଖ ଗ୍ରାସେ ଖାଲି
ଗାଁ ଠୁ ଦୂରରେ ରହି ।
ବାଧେ ନାହିଁ ଜମା କେବେ
ଖଟଣିର ପରିଶ୍ରମ,
ଦୁଃଖର ପଥର ସାଉଁଟି ବାକୁ ପରା
ଏ ଦାଦନର ଜନ୍ମ ।
ନୁହେଁ ମୁଁ ଅଳସୁଆ
ଖୋଜେ ନା ବାହାନା,
ଭିଟା ମାଟି ଛାଡ଼ି ଆସିଛି ଧାଇଁ
ଆଖିରୁ ଲୁହ ସୁଖେନା ।
ସୁଖ ମୋର ଖେଳେ ଆଜି
ସାଥେ ମୋର ଲୁଚକାଳି,
ଖୁସିର ପୂର୍ଣ୍ଣିମା ଦିନେ
ଜୀବନେ ଆସିବ ବୋଲି ।