STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଘନଶ୍ୟାମକୁ କହ ଗୋ

ଚଉପଦୀ - ଘନଶ୍ୟାମକୁ କହ ଗୋ

1 min
13.7K


କବି - ଗୋବିନ୍ଦ


ଘନଶ୍ୟାମକୁ କହ ଗୋ ଦୂତିକେ ଯାଇ ।

ଘନ ଘନ ବୃଷଭାନୁସୁତା ନେତ୍ରୁ ନୀର ବହଇ । ଘୋଷା ।

ଘନେ ଯେସନେ ଚନ୍ଦ୍ରମା, ସେହିପ୍ରାଏ ରାଜଜେମା

ଘର ମଣିଲେଣି ରମ୍ଭା ବନ ପରବତ ଭୂଇଁ ।

(ପଡ଼ି) ଘୋର ମନୋହର କୁଞ୍ଜ

କୁଟୀରେ ଦେଇ ସଞ୍ଜ

ଆସିଛି ଦୈତ୍ୟଗଞ୍ଜ

ଦୁଃଖୀ ଆରତଭଞ୍ଜ

ଆସ ନୟନକଞ୍ଜ

ଶ୍ରୀମତୀ ସଙ୍ଗେ ରଞ୍ଜ

ମାର ଦର୍ପକୁ ଗଞ୍ଜ ନିକୁଞ୍ଜ ବରବିରହୀ । ୧ ।

ଘନେ ତାପବଳୀ ରିପୁ, ପ୍ରହାରଇ ପବିଦର୍ପୁ

ଘଡ଼ିକେ ପାଇଲା ବପୁ ଗମାର ମାଗଣା ଦେହୀ ।

(ପଡ଼ି) ଘର୍ଘର ଘଡ଼ଘଡ଼ି

ନାଦ ତ ତଡ଼ବଡ଼ି

ଦେଉଛି ଘଡ଼ି ଘଡ଼ି

କାମ ଶମନ ଧାଡ଼ି

କହିଛି କର ଯୋଡ଼ି

ଦାସୀ ଭୂମିରେ ପଡ଼ି

ହା କୃଷ୍ଣ ବୋଲିଣ ବିବେକ ଜ୍ଞାନ ହଜାଇ । ୨ ।

ଘୃମିତ ଲୋଚନ ଦିଶେ, ସ୍ନେହିତ ଦଳା ବିଶେଷେ

ଘୃଣା ପାଇବାରୁ ହାସେ ସେ, ଊଣା ତେଜ ତା ଦିଶଇ ।

(ପଡ଼ି) ଘଟଣ ମୁଖ ଶ୍ରେଣୀ

ବିମଳ ଦିଶିଲାଣି

ଘନକୁନ୍ତଳ ବେଣୀ

ଫିଟି ଲୋଟେ ଧରଣୀ

ଘଟସ୍ତନାର ପୁଣି

ନୟନୁ ବହେ ପାଣି

ଜାଣ ନାହିଁ କି ବେଣୁପାଣିକି କହିବଇଁ । ୩ ।

ଘୁମା ମାଇଲା ପରି ରାଧା, ଘୋଟିଛି ବିରହ ବାଧା

ଘାରି ହୋଇ ଢଳି ପଡ଼ୁଁ ତୋଳି ଧଇଲେ ପ୍ରମଦା ।

(ପଡ଼ି) ନିଶାର୍ଦ୍ଧକାଳେ ଭେକ

-ବୃନ୍ଦ ଦିଅନ୍ତି ଡାକ

ସାମୁକ ମକ ମକ

ଝିଙ୍କାରୀ ସ୍ୱନ ଟେକ

ଶୁଣି କର୍ଣ୍ଣ ତଦ୍ଦକ

ହୃଦୟ ଦକ ଦକ

କରାଇ ଦିଏ ମୁକ ନିଜର କଥା ଏହି । ୪ ।

ଘେନିଯାଅ ଏ ବାରତା, ବୋଧିଆଣ ରସିକତା

ଘାଣ୍ଟି ହେଉଛି ଅଙ୍ଗ ତା ତେଣୁ ଛନ୍ତି ପଠିଆଇ ।

(ପଡ଼ି) ଘନାନ୍ତେ ଲେଖା ଲେଖି

ଦେଲେକ ଚନ୍ଦ୍ରମୁଖୀ

ତା ଘେନି ଚଳେ ଦୂତୀ

ହୋଇଣ ନିରିମାଖି

ଚନ୍ଦ୍ରାବଳୀର ପୁରେ

ଶ୍ରୀକୃଷ୍ଣ ଥିବା ଦେଖି

ଗୀତେ କହେ ଗୋବିନ୍ଦ ଗବାକ୍ଷେ ପତ୍ର ଦେଇ । ୫ ।


Rate this content
Log in

Similar oriya poem from Classics