ଚଉପଦୀ - ଗାଈ ଗୋଟି ଅଟେ ମୋର
ଚଉପଦୀ - ଗାଈ ଗୋଟି ଅଟେ ମୋର
କବି -ହାଡି ଦାସ
ଗାଈ ଗୋଟି ଅଟେ ମୋର ଗୁହାଳ ଭଙ୍ଗା ।
ସେ ଗାଈ କେତେ ଲୋକଙ୍କୁ ଦେଲାଣି ଦଗା । ପଦ ।
ଚେତନା ଗୋପାଳ ହସ୍ତେ ଗାଈକି ଜଗା ।
ଗାଈଟି ଯିବ ପଳାଇ
ହରିନାମ ଭଡ଼ା ଦେଇ
ଗୁହାଳେ ଲଗା । ୧ ।
ସତ ରଜ ତମ ଏହି ତ୍ରିଗୁଣେ ପଘା ।
ଏକାକ୍ଷର ଖୁଣ୍ଟେ ନେଇ
ନିର୍ବଧରେ ବାନ୍ଧ ଗାଈ
ରାମ ନାମ ଘାସ ନେଇ ଗାଈକି ଯୋଗା । ୨ ।
ଗାଈ ବାଛୁରୀ ଗୁହାଳେ ନୁହଇ ଯାଗା ।
ଅମନ ମନ୍ଦିରେ ନେଇ
ବଛାମାନ ରଖ ତୁହି
ସେ ବଛା କ୍ଷୀର ନ ଖାଇ ହେଲେଣି ରୋଗା । ୩ ।
ବନସ୍ତ ଭିତରେ ଗାଈ ଜଗିଛି ପଘା ।
ପଲକ ପଡ଼ିଲେ ସେହି
ଗାଈକି ରଖିବ ନାହିଁ
ହାଉ ହାଉ ହେଉଥିବୁ ମୋ ମନ ବଗା । ୪ ।
ବୃଷଭ ସଙ୍ଗରୁ ଗାଈ କର ଅଲଗା ।
ବୃଷଭ ସଙ୍ଗଟି ପାଇ
ଗାଈଟି ରହିବ ନାହିଁ
କହେ ହାଡ଼ିବନ୍ଧୁ ନିତ୍ୟେ ଗାଈକି ସଙ୍ଗା । ୫ ।
