ଚଉପଦୀ - ଆଜ ବ୍ରଜରାଜ ପୁରେ
ଚଉପଦୀ - ଆଜ ବ୍ରଜରାଜ ପୁରେ
କବି - ଗୋପାଳକୃଷ୍ଣ ପଟ୍ଟନାୟକ
ତାଳ ଝମ୍ପା, ରାଗ ମୋହନକଲ୍ୟାଣ
ଆଜ ବ୍ରଜରାଜ ପୁରେ
ଲାଜେ ମୁଁ ବୁଡ଼ିଲି ମା । ପଦ ।
ରୋହିଣୀଙ୍କ ସଙ୍ଗତରେ
ଥିଲି ରନ୍ଧନ ମନ୍ଦିରେ
ପଛକୁ ନାଗରବର
ଦୃଷ୍ଟି ପଡ଼ିଲି ମା । ୧ ।
ହୃଦ କରେ ଦମ ଦମ
ବୁଦ୍ଧି ମୋ ହୋଇଲା ବାମ
ସୁଧାସମ ଶିଖରିଣୀ
ଜଳେ ନିଉଡ଼ିଲି ମା । ୨ ।
କପଟିନୀ କୁନ୍ଦବଲ୍ଲୀ
ଜାଣି ପାଶୁ ଗଲା ଚଳି
ସାରୀ ପଢ଼ିବାରୁ ଆଣି
ଓଢ଼ଣି ଓଢ଼ିଲି ମା । ୩ ।
ହେଲା କି ପାକ ସମ୍ଭାର
ବୋଲି ପଚାରନ୍ତେ ମୋର
ଧୃତି ଖସିଗଲା ପ୍ରତି
ଉତ୍ତର ହୁଡ଼ିଲି ମା । ୪ ।
ମୋ ଓଷ୍ଠ କମ୍ପିଲା ଚାହିଁ
ହସିଲା ମୋ ଆଡ଼େ ରହି
ତା ଇଙ୍ଗିତ ହେଜି ଶୀଘ୍ରେ
ଅଧର ପୀଡ଼ିଲି ମା । ୫ ।
ଗୋପାଳକୃଷ୍ଣ କହିଲା
ରହୁ ଜଟିଳା ଅଇଲା
ଆସନ୍ତୁ ସଜନି ତୋତେ
କେତେ ମୁଁ ଲୋଡ଼ିଲି ମା । ୬ ।
