ଚଉପଦୀ (65)
ଚଉପଦୀ (65)
ଚଉପଦୀ
(65)
ରାଗ – ପୂରବୀ
ଝଳିବରନା ରେ ! କଳିବୁଟି ମନେ ମନେ ;
“ଲଳିତ ଚନ୍ଦ୍ରମୁଖୀ ରେ!” ବୋଲି କିପାଁ ଡାକନ୍ତି ତୋ ସଖୀମାନେ ? (0)
ଶଶ ପ୍ରାଣ ଖାଇ ଶଶାଙ୍କ ବୋଲାଇ ଆକାଶେ ବିହରି ମରେ,
ସଲିଳ ମଣ୍ଡୁକ ପରାୟେ ମାତ୍ରକ କିରଣ ଗୁଡାଏ ଧରେ (1)
ନୀରଧର ପଙ୍କ ପରି ଯା ଦିଶଇନାହିଁ କିରେ ଗଳାହାରା
ସିନ୍ଧୁଆପଣ କା ମନ୍ଦିରେ କଲାରୁ ଦାଗ ସେ ବିହିଲାପରା (2)
ନୋହିଲେ ମୋ ମନେ ବିଚାରୁଚି ଯେଣୁ ଗୁରୁ ପତ୍ନୀକି ହରିଲା,
କଳାଗଣ୍ଡେ ମଣ୍ଡି ଆଖଣ୍ଡଳ ଦେବ କୁଳବିଟାଳିଆ କଲା (3)
ଯାହା କହୁଛନ୍ତି ଜନେ ତ ଶୁଣୁଚୁ କାହାଠାରୁ କିସ ଆଣି
ଲାଗୁଆ କରି ଲାବାଡ ହୋଇବାରୁ ଆଗୁଳା ହୋଇଚି ପୁଣି (4)
କେଉଁ ଗୁଣ ତାର ଭଲ ଦେଖି ଅବା ତୋତେ ତାକୁ ସାମ୍ୟ କରି
ଗେଲାଇ ହୋଇ ଯା ଡାକି ମରୁଥାନ୍ତି, ଚନ୍ଦ୍ର ମୁଖୀ ନାମ ଧରି (5)
ଯେଉଁ ସଜନୀଟା ଆଜହୁଁ ସେ ନାମ, ତୁଣ୍ଡେ ଆଣି ବସାଇବ,
ଜଳନ୍ତର ସ୍ୱର୍ଗ ବଳ ବିପକ୍ଷଙ୍କ ସୁଧରମା ମନା ହେବ (6)
କବିସୂର୍ଯ୍ୟ ବଳଦେବ ରଥ