ଚନ୍ଦ୍ରମା
ଚନ୍ଦ୍ରମା
ଶାନ୍ତ ଓ ସରଳ
ମନ ସୁଶୀତଳ
ନାହିଁ ମନରେ ଗାରିମା,
କୋମଳ ହୃଦୟ
ନିରିମଳ ଜ୍ୟୋତ୍ସ୍ନା
ନାଆଁଟି ତା'ର ଚନ୍ଦ୍ରମା ।
ମୁଚୁକୁନ୍ଦ ହସ
କଇଁର ଆତ୍ମୀୟ
ସଚରାଚର ଜଗତ,
ହୃଦୟେ ସ୍ପନ୍ଦନ
ପୁଲକିତ ମନ
ହୁଏ ଯେବେ ଉଦ୍ଭାସିତ ।
ସୂର୍ଯ୍ୟଠୁଁ ଆଲୋକ
ପ୍ରାପ୍ୟ ସିନା ତାର
ରଖେ ନାହିଁ ନିଜପାଇଁ,
ଭରି କୋମଳତା
ଜଗତ ହିତରେ
ସଦା ଦିଏ ସେ ବିଛାଇ ।
ଗର୍ବ-ଅହଙ୍କାର
ସ୍ୱାର୍ଥ-ରାଗ-ରୋଷ
ଅବା ଅନ୍ୟାୟ-ଦୁର୍ନୀତି,
ନାହିଁ ତିଳେମାତ୍ର
ନିଷ୍ଠାପର ଭାବେ
କରୁଥାଏ ଅଗ୍ରଗତି ।
କୃଷ୍ଣ ପକ୍ଷ ଶୁକ୍ଳ
ପକ୍ଷ ଖେଳ ହୁଏ
ଜୀବନ ନିତ୍ୟ ପ୍ରକ୍ରିୟା,
ତା ମୁଖ ମଣ୍ଡଳେ
ଆକର୍ଷଣ ଥାଏ
ଅନ୍ତରରେ ମୋହ ମାୟା ।
କବି ଓ ଲେଖକ
ରଚିଯା'ନ୍ତି ସୃଷ୍ଟି
ଧନ୍ୟ ତୋହର ମହିମା,
ନାହିଁ ତା ଉପମା
ହେ ବିଶ୍ୱ ନିୟନ୍ତା
ସୃଷ୍ଟି କରିଛ ଚନ୍ଦ୍ରମା ।
