STORYMIRROR

Sarojini Mishra

Abstract

4  

Sarojini Mishra

Abstract

ଚନ୍ଦ୍ର ପୃଷ୍ଠରେ ମାନବ

ଚନ୍ଦ୍ର ପୃଷ୍ଠରେ ମାନବ

1 min
234


ଚନ୍ଦ୍ରମା ଗୋ ତୁମେ କବି ଲେଖନୀର

ଅଭିନବ ସାରଣୀ ଟେ

ତୁମକୁ ନେଇ ଯେ କବିର କଳ୍ପନା

ଆକାଶକୁ ଛୁଇଁ ଯାଏ ।


କଳ୍ପନାରେ ସିଏ ତୁମର ଉପମା

ଅପରୂପ କରି ଗଢ଼େ

ଶୀତଳ ଜ୍ୟୋତ୍ସାରେ ବିଧୁର ବେଳା ରେ

ତୁମ ଠି ସଂପର୍କ ଯୋଡ଼େ ।


କବି କଳ୍ପନାରେ ବୁଲୁ ଥିଲା ଦିନେ

ଜହ୍ନ ରାଇଜ ର କୋଳେ

ଜାଣି ନଥିଲା ସେ ତା ସପନ ସତ

ହୋଇଯିବ ଅବହେଳେ ।


ମାଆ କହୁଥିଲା ଆ ଜହ୍ନ ମାମୁଁ 

ତଳକୁ ଓହ୍ଲାଇ ଆ

କାନ୍ଧରେ ପକାଇ ଗୀତ ଗାଇ ଗାଇ

ସନ୍ତାନେ ଶୁଆଉ ଥିଲା ।


ଚନ୍ଦ୍ର ପୂଜା କଥା ପୁରାଣ କୁହଇ

ସାହିତ୍ୟ ଧାରାରେ ଥିଲା

ପ୍ରିୟା ହାତ ଧରି ସପନରେ ପ୍ରିୟ

ଜହ୍ନ ରାଜ୍ୟ ଘୁରୁ ଥିଲା ।


ସବୁ କଳପନା ସବୁ ସପନ କୁ

ବିଜ୍ଞାନ ସତ କରିଲା

ଜହ୍ନ ରାଇଜରେ ରହିବା ଖବର

ବିଜ୍ଞାନ ଯେ ଦେଇଗଲା ।


ମଣିଷ ରହିବା ଉପଯୋଗୀ ବୋଲି

ବିଜ୍ଞାନ ଯେ କହିଦେଲା

ଭବିଷ୍ୟତ କଥା ଭାବି ଏ ମଣିଷ

ଆନନ୍ଦେ ମନ ଭରିଲା ।


ପୁରାଣରେ ଲେଖା ସମସ୍ତ କଥାକୁ

ବିଜ୍ଞାନ ସତ କରୁଛି

ସେ ଯୁଗର ସେଇ ପୁଷ୍ପକ ବିମାନ

ଆଜି ଆକାଶେ ଉଡୁଛି ।


ଚଉଦ ବ୍ରହ୍ମାଣ୍ଡ ନାରଦ ଙ୍କ ଗତି

ଆଜି ପ୍ରମାଣ ହେଉଛି

ବିଜ୍ଞାନ ଦେଇଛି ବାସ୍ତବ ବାରତା

ଚନ୍ଦ୍ରେ ଜନ ପହଞ୍ଚିଛି ।


ଧରାରେ ମଣିଷ ଚନ୍ଦ୍ରକୁ ଦେଖିଛି

ସେଠି ବସତି ହୋଇବ

ପୃଥିବୀ ପୃଷ୍ଠର ଧୀର ସମାରଣ

ସେଠି କି ମିଳିପାରିବ ?


ମିଳି ପାରିବ କି ପକ୍ଷୀ ମାନଙ୍କର

କିଚିରି ମିଚିରି ଶବ୍ଦ 

ମିଳି କି ପାରିବ ପର୍ବତ ଦେହରୁ

ଝରଣା ଝର୍ଝର ନାଦ ?


ଆମ ପର ପିଢି କହିବେ କି ନାହିଁ

ଆ ରେ ଶରଦ ଶଶୀ

ମାଆ ମାନେ କଣ ଜହ୍ନ ଦେଖାଇବେ

କୁନା ଦେଉଥିବ ହସି ?


ଚନ୍ଦ୍ର ପୂଜା ଆଉ ହେବ କି ଆମର

ଅଗଣା ଚଉରା ମୂଳେ

ସନ୍ତାନ ଆରୋଗ୍ୟ କାମନାରେ ମା

ପୂଜିବ ବଡି ସକାଳେ ?


ଏମିତି ଅନେକ ଅନାବନା ପ୍ରଶ୍ନ

ମନରେ ଯେ ଘାଣ୍ଟି ହୁଏ

ସୁନ୍ଦର ଧରା ଯେ ନରକାଭିମୁଖୀ

ଚନ୍ଦ୍ରର ସପନେ ଶୁଏ ।


ବିଜ୍ଞାନ ଦେଇଛି ବାସ୍ତବ ବାରତା

ତା ପାଖରେ ଆମେ ଋଣୀ

ମଣିଷ ନ ରଚୁ ଚନ୍ଦ୍ରରେ ତାଣ୍ଡବ

ଏତିକି ମାତ୍ର ଭାଳେଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract