STORYMIRROR

Samita Swain

Tragedy

4  

Samita Swain

Tragedy

ଚଲାପଥ

ଚଲାପଥ

1 min
587

ଅଶ୍ରୁର ଶ୍ରାବଣ ଝରେ ଝରଝର

ଜୀବନର ଚଲାପଥେ

ଯାତନା, ଯନ୍ତ୍ରଣା ଜୁଇ ଜଳୁଥାଏ

ଅହରହ ଭାଗ୍ଯ ସାଥେ।।


ଜୀବନ ରାସ୍ତାରେ ବାଟ ଚାଲୁ ଚାଲୁ

ପାଦମୋର ଯାଏ ଥକି 

ଆଗକୁ ଆହୁରି କାହିଁ କେତେ ବାଟ

ଚାଲିବାକୁ ଅଛି ବାକି।।


ନିଶ୍ବାସ କୁ ଆଉ ବିଶ୍ବାସ ହେଉନି 

ସାରୁପତ୍ରେ ଜଳଭଳି

କେତେ ବେଳେ ଅବା ଢଳି ସେ ପଡିବ

କିଏବା ପାରିବ କଳି।।


କେଉଁଠି, କେମିତି ଜୀବନର ଯାତ୍ରା 

ହୋଇଯିବ ଶେଷ ଯାତ୍ରା

ବ୍ଯାକୁଳ ପ୍ରାଣରେ ଷଡରିପୁ ଛନ୍ଦେ

ବିଷାଦିତ ମନ ମାତ୍ରା।।


କାଳର କବଳେ ସମୟର ସ୍ରୋତ 

ଚକା ଭଉଁରୀର ଖେଳ 

ମୋହର ମାୟାରେ ଅବୁଝା ଏ ମନ 

ଭ୍ରମରେ ହୁଏ ବିକଳ।।


ତ୍ଯାଗ ସଳିତାରେ ଜୀବନ ଦୀପାଳୀ 

ଦିକିଦିକି ସେ ଜଳୁଛି 

ସରିଗଲେ ତୈଳ ପୁରିଯିବ କାଳ

ଶିଖାଟେକି ମୁଁ ଚାହିଁଛି ।।


ବିହି ଯା' ଲେଖିଛି କର କପାଳରେ

ଜୀବନର ଜାତକରେ

ଖରା ଛାଇପରି ବେଳ ସରିଯାଏ 

ଉପନୀତ ସାୟାହ୍ନରେ।।


ମଣିଷ ତ ଗାଈ ଦଇବ ଦଉଡି

ଦୁନିଆ ରଙ୍ଗମଞ୍ଚ ରେ

ଯୁଆଡିକି ଇଛା ଟାଣିନେବ ପରା

ଦିନେ ମହାସ୍ରୋତ ନୀରେ।।


ଅଜ୍ଞାନ ଅନ୍ଧାରେ ସ୍ବାର୍ଥର ଶାଙ୍କୁଳି

ଜାବୁଡି ଧରିଛି ପାଦ

ପାହିଯିବ ଯେବେ ତମସା ଶର୍ବରୀ 

ମୃତ୍ୟୁ ଚଖାଇବ ସ୍ବାଦ।।


ମାଟିଘଟ ଦିନେ ମାଟିରେ ମିଶିବ

କାଟି ଏ ମାୟା ବନ୍ଧନ

ଭଙ୍ଗୁର ଭବରୁ ବାହୁଡିବା ପାଇଁ 

ନାହିଁ କାଳପାତ୍ର ସ୍ଥାନ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy