ଚକ୍ରବ୍ୟୁହ
ଚକ୍ରବ୍ୟୁହ
ଶକ୍ତ ଏକ ବଳିଷ୍ଠ ପରିଧିର ବଳୟ
ଜୀବନ ପଥରେ ସୃଷ୍ଟି କରେ ଅନ୍ତରାୟ ।
ଶତ୍ରୁ ରଚେ ଗୁପ୍ତ୍ତେ ରହି ଭିନ୍ନ ଭିନ୍ନ ଢ଼ଙ୍ଗେ
ମହାଭାରତେ ଯଥା ଅଭିମନ୍ୟୁ ରଣ ରଙ୍ଗେ ।
ଷଡ ଯନ୍ତ୍ର ବୋଲି ଯାର ଅଟେ ଭିନ୍ନ ରୂପ
ମରୀଚିକା ସମ ପଥ ସ୍ୱଚ୍ଛଳ ସ୍ୱରୂପ ।
କର୍ମ ଜାଣି ବିଭୁ ରଚେ ଧର୍ମ ଚକ୍ରବ୍ୟୁହ
ଚକ୍ରବ୍ୟୁହେ ପଡ଼ି ଭାଗ୍ୟେ ଥିଲା ବୋଲି କୁହ ।
ସ୍ୱାର୍ଥେ ଅନ୍ଧ ହୋଇ ଶତ୍ରୁ ଗଢେ ଚକ୍ରବ୍ୟୁହ
ମୁହେଁ ମିଠା କଥା କହି ଲଗାଏ ସେ ମୋହ ।
ସତ୍ କର୍ମ,ସତ୍ ମନ,ସତ୍ ଧର୍ମ ଯାର
ଚକ୍ରବ୍ୟୁହୁଁ ଉଦ୍ଧରିବା ମନ୍ତ୍ରଟି ତ ସାର ।
ଅଜାଣତେ ଲୋଭ ମୋହ ଟାଣି ନିଏ ପାଶେ
ଅନଳ ଦେଖି ପତଙ୍ଗ ଯେହ୍ନେ ପ୍ରାଣ ଝାସେ ।
ସ୍ୱରୂପ ନାହିଁ ତାହାର ଅନୁଭବେ ଆସେ
ଭାବିବା ପୂର୍ବରୁ ସେହି ବାନ୍ଧେ ଦୃଢ଼ଫାଶେ ।
ଅନ୍ୟାୟାସେ ଜୀବନଟା ହୁଏ ବେସାହାରା
ଦୃଢ଼ମନା ଦୃଢ଼ ମନେ କରେ ମୁକାବିଲା ।
ଧୈର୍ଯ୍ୟ ଧର୍ମ ସତ୍ୟ ବାଣୀ ପାଶରେ ଯାହାର
ଚକ୍ରବ୍ୟୁହ ପାରି ହେବା ସହଜ ତାହାର ।