ଚିଠି ମୋତେ ଦେଉଥିବୁ
ଚିଠି ମୋତେ ଦେଉଥିବୁ
'ଆଶା' ନାମେ ଏକ ସଂକଳନ ମୋର
ପ୍ରକାଶିତ ହେଲା ଯେବେ ,
ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମୁଁ ତାହା
ଦେଲି ଉପହାର ଭାବେ
ବାପାଙ୍କ ପାଖରୁ ବହିଟିକୁ ପାଇ
ହେଲେ ସିଏ ଭାରି ଖୁସି ,
ମୋ କୁଶଳ ପୁଛି-ଦେଖାକଲେ ଦିନେ
ଆମରି ଘରକୁ ଆସି
କହିଲେ-"ମାଆ ତୁ ଭଲ ଲେଖୁଅଛୁ
ନେବି ପାଠାଗାର ଲାଗି ,
ମୋଅରି ଚେଷ୍ଟାରେ ଏ ସୁନ୍ଦର ବହି
ପିଲାଙ୍କୁ ଯୋଗାଇ ଦେବି
ଲେଖିଚାଲୁ ଥା' ତୁ ନ ଅଟକି ଜମା
କରୁଣା କରିବେ ସାଇଁ ,
ବାପାଙ୍କୁ କହିଲେ-ଧନ୍ୟ ହୋଇଛନ୍ତି
ଏଇଭଳି ଝିଅ ପାଇ
କଥା ଦେଇ ଯେଣୁ ରଖିଥିଲେ ସିଏ
ଜଣାଇ ମୁଁ ଧନ୍ୟବାଦ ,
ଚିଠି ଲେଖିଥିଲି-ପଢ଼ି ସେ ଆନନ୍ଦେ
ହୋଇଥିଲେ ଗଦଗଦ
ପ୍ରତ୍ୟୁତ୍ତର ଭାବେ ଚିଟାଉ ଲେଖିଲେ
ଦେଇ ଆଞ୍ଜୁଳାଏ ସ୍ନେହ ,
ପ୍ରେରଣା ତହିଁରେ ଖୁନ୍ଦି ହୋଇଥିଲା
ବିଶାଳ ତାଙ୍କ ହୃଦୟ
ଆଶିଷ ଢାଳି ସେ ଉତ୍ସାହିତ କରି-
ଥିଲେ ମୋତେ ନାନା ଭାବେ ,
ଲେଖିଥିଲେ-" ମୋତେ ଚିଠି ଦେଉଥିବୁ
ଇଚ୍ଛା ହେବ ତୋର ଯେବେ
ସେଇଦିନ ଠାରୁ ସାଇତି ରଖିଛି
ତାଙ୍କ ଚିଠିଟିକୁ ମୁହିଁ ,
ଚଳଭାଷ ଯୋଗେ ଆଳାପ ବି କରେ
ତାଙ୍କୁ ଜମା ଭୁଲିନାହିଁ
