ଚିଠି ମୋର ଟିକି ଚଢେଇ
ଚିଠି ମୋର ଟିକି ଚଢେଇ
ଯେତେକ ସାଇତା ହୃଦୟର କଥା
ଲେଖଇ ଭରସି ଚିଠିରେ
ସୁଖଦୁଃଖ ବୋଳା ପୀରତିରେ ଗୋଳା
ନାନା ରଙ୍ଗ ଭିଜା ଅକ୍ଷରେ
କରି ସଜ୍ଜିତ
ଚିଠିଟିକୁ ଦିଏ ପଠାଇ
ଚଟ୍ କିନା ଯାଇ ସତେ ପହଞ୍ଚଇ
ଚିଠି ମୋର ଟିକି ଚଢେଇ ।
ପ୍ରାପକ ଖୋଲଇ ହରଷିତ ହୋଇ
କେତେ ଉତ୍କଣ୍ଠିତ ପ୍ରାଣରେ
ପ୍ରତି ଶବ୍ଦଫୁଲ ସତେ କି ଅମୂଲ
ହୃଦୟଟିକୁ ଛୁଇଁବାରେ
ଏକଲାପଣ
ଭାବନାରୁ ଯାଏ ଦୂରେଇ
ଲେଖକ ପାଠକ ସମସ୍ତଙ୍କୁ ସୁଖ
ଚିଠିଟିଏ ପରା ଦିଅଇ ।
p>ସମ୍ପର୍କର ମୂଲ ସେଥିରୁ ଅସୁଲ
କରନ୍ତି ମନମାନସରେ
ଶବଦ ବିନ୍ଧାଣି ଯେ ପଢ଼ଇ ପୁଣି
ଉଭୟ ସଂଶ୍ଳିଷ୍ଟ ସେଥିରେ
ଯେଣୁ ଏ ଚିଠି
ସମ୍ପର୍କର ଧନ ଅଟଇ
ବାନ୍ଧି ରଖିବାକୁ ଦୁଇଟି ମନକୁ
ନଯାଏ କେ ତାକୁ ବଳେଇ ।
ମୁଖ ଯା' ନବୋଲେ ଲେଖି ହୋଇ ପାରେ
ମନର ଗହନ କଥାଟି
ଦିନେ ଏ ଚିଟାଉ ତୋଳିଥିଲା ଭାଉ
ଯେବେଠୁ ହୋଇଥିଲା ସୃଷ୍ଟି
ପୂରୁବେ ପାରା
ପରେ ମାଧ୍ୟମ ଡାକ ହେଲା
ଏବେ ସ୍ମାର୍ଟଫୋନ ଚାର୍ଟିଂରେ ଧ୍ୟାନ
ଚିଠିଠୁ ବି କମ ନୋହିଲା ।