ଚିରକାଳ
ଚିରକାଳ
ଜନମ ମରଣ ଦିନରାତି ପରି
ଧୃବସତ୍ୟ ଏ ଜଗତେ,
ପ୍ରାରବ୍ଧ କର୍ମର କର୍ମଫଳ ନେଇ
ଜନ୍ମେ ନର ଏ ମରତେ।
ଧନୀ କି ଗରିବ ଉଚ୍ଚ ନୀଚ କରି
ବିଧାତା ଜନ୍ମ ନ ଦିଏ,
ଜନ୍ମ ପରେ ନର କର୍ମ ଘେନି ତା'ର
ଫଳ ଭୋଗ କରୁଥାଏ।
ବ୍ୟାଧି ରୂପେ ଆଜି ସମାଜରେ ଠିଆ
ହୋଇଛି ଗରୀବ ରୂପ,
ସୁଖ ତାହା ପାଇଁ ସାତସପନ ତ
ଦୁଃଖ ତାର ଅଭିଶାପ।
ହୀନଚକ୍ଷୁରେ ତ ଛୋଟ କରି ଧନୀ
ଗରୀବ ଗରୀବ କହି,
ଜନ ସମାଜର ଆଢୁଆଳେ ରଖେ
ସେ ଦୁଃଖ କା'ଆଗେ ନ ପାରେ କହି।
ଦୁଃଖେ ସହି ସହି ଜୀବନ ତା ଯାଏ
ଦୁଃଖିର ଦୁଃଖ ତ ବଢେ,
କୃପାସାଗରଙ୍କ କୃପାବାରି କେବେ
ଦୁଃଖି ଉପରେ ନ ପଡେ।
ଉଦର ସନ୍ତୋଷ, ପରିବାର ଶୋଷ
ମେଣ୍ଟାଇ ପାରଇ ନାହିଁ,
ଜରାବ୍ୟାଧି ହେଲେ ପଥି ଟିକେ ପାଇଁ
ଭାଗ୍ୟକୁ ସେ ନିନ୍ଦୁଥାଇ।
ହା ହତାଶ ମଧ୍ୟେ ଆୟୁଷ ତା ସରେ
ସୁଖ ପାଇଁ ଝୁରି ମରେ,
ଭଲ ପୋଷାକ ଓ ସୁଖାଦ୍ୟ ପାଏନି
ମରିଯାଏ ଅନାହାରେ।
ଏତେ ନୀତି ଏତେ ଯୋଜନା ତ ସବୁ
ପହଞ୍ଚେନି ତା ପାଖରେ,
ଏମିତି ଦୁଃଖିକୁ କେ ସାହା ନୋହିଲେ
ଦୁଃଖିତ ରହିବ
ଚିରକାଳ ଗରୀବରେ।