ଚିଲିକା
ଚିଲିକା
ଉତ୍କଳ ଜନନୀ ସମ୍ଭୁତା ରମଣୀ,
ନୀଳାମ୍ବୁ ଚିଲିକା ସୁନ୍ଦରୀ କଲ୍ୟାଣୀ |
ଚନ୍ଦ୍ରସ୍ନାତ ବେଣୀ ଦେଇଛି ବିଛାଇ,
ନବଘନ ବେଶ କଳା ଜଳଛାଇ |
କେବେ ଧିର ଶାନ୍ତ କେବେ ସୁଚଞ୍ଚଳା,
ନୀଳ ଉର୍ମୀମାଳା କରୁଅଛି ଖେଳା |
ତରଙ୍ଗେ ତରଙ୍ଗ ନୃତ୍ଯ ସତରଙ୍ଗି,
ବନରେ ଯେସନ ନାଚନ୍ତି କୁରଙ୍ଗୀ |
କର୍ଣ୍ଣ ବାହୁତଟେ ଅଳଙ୍କାର ଘେନି,
ଚିଲିକା ଦିଶଇ ଶୋଭାମୟୀ ରାଣୀ |
ପ୍ରାତ ସାୟଂକାଳେ ଉଏଁ ରବି ପୁଣି,
ରକ୍ତ ପୀତ ଛବି ପ୍ରବାଳ ବରଣି |
ଝଲମଲ କରେ ହୀରା ଦ୍ୟୁତି ରାଶି,
ଜହ୍ନ ଜୋଛନା କି ପଡ଼ିଅଛି ଖସି |
ଗରଭେ ବହିଛି ଅଚଳ ସମୂହ,
ଚଢ଼େଇଗୁହାକୁ କାଳିଜାଈ ସହ |
ଭାଲେରୀ ,ଜଟିଆ ପୁଣି ଘଣ୍ଟଶିଳା,
ସାଲେରୀ ,ମୈନାକ ,ଖଣ୍ଡାହଣା ଶିଳା |
ପକ୍ଷୀଏ ରାବନ୍ତି ଉଡ଼ନ୍ତି ଶିଖରେ,
କେବେ ପୁଣି ଜଳେ କେବେ ଭୂଧରରେ |
ଲୁଚକାଳି ଖେଳେ କୃଷ୍ଣ ମେଘଖଣ୍ଡେ,
ଚିଲିକା ଦେହରେ କାଳିଜାଈ ଗଣ୍ଡେ |
ବହୁ ମତ୍ସ୍ୟଜୀବୀ ଆହୁଲା ହଲାଇ,
କ୍ଷୁଦ୍ର ପୋତଡଙ୍ଗା ଦିଅନ୍ତି ମେଲାଇ |
ଜୀବନ ଡଙ୍ଗାକୁ ଚିଲିକାରେ ଥୋଇ,
ସରଳ ଜୀବନ ନେଉଥାନ୍ତି ବାହି |
ଲହରୀମାଳାରେ ସାରା ଦେହ ଦେଇ,
ବିଶାଳ ବୁକୁକୁ ଦେଇଛି ଭସାଇ |
ଅପରୂପ ତା'ର ସୌନ୍ଦର୍ଯ୍ୟ ଭାର,
ପ୍ରକୃତି କୋଳର ସୁନ୍ଦର ସମ୍ଭାର |
କୂଳେ ଲମ୍ବାଇଛି ନାବ ମାଳ ମାଳ,
ମତ୍ସ୍ୟଜୀବୀଙ୍କର ଜୀବୀକା ପ୍ରବଳ |
କୂଳବାସୀ ପୁଣି ଉଗାନ୍ତି ଶସ୍ଯକୁ,
ସୁରକ୍ଷିତ କରି ଚିଲିକା ଭାଗ୍ୟକୁ |
ଚିଲିକା ଧରିଛି ଅନ୍ଯ ଭାଗ୍ୟଡୋରୀ,
କୂଳବାସୀ କରେ ତାର ଭାଗ୍ୟଚୋରୀ ।
ଦର୍ଶନୀୟ ସ୍ଥାନ ରୂପ ଶୋଭାମୟୀ,
ଚିଲିକା ଅଟୁ ତୁ ଶୋଭା କୄପାମୟୀ |
ଚାରୁ ଚିତ୍ରପଟ ଅଟୁ ତୁ ଚିଲିକା,
ଉତ୍କଳ ଭୁବନେ ଶୋଭାର ମଲ୍ଲୀକା |