ସୁଖ-ଦୁଃଖ
ସୁଖ-ଦୁଃଖ


ସୁଖ ଗୋଟିଏ ବୟସ ରଙ୍ଗ ବ୍ୟଞ୍ଜନେ ଭାବର ଲବଣ ଉପାଦାନ
ଦୁଃଖ ବଡ଼ବଡ଼ିଆ ଭୋଜିର ବଳକା ଖାଦ୍ୟରେ ଭୋକିଲାର ମନ
ସୁଖ ଏକ ପଥର ସମ୍ମୁଖେ ବସି ବିନା ମାଗୁଣିରେ ଅଶ୍ରୁଜଳ ଦାନ
ଦୁଃଖ ପରା ଧନୀ ମନ୍ଦିରରେ ରତ୍ନପଥର ଦାନ ଦେଇ ଗର୍ବମାନ
ସୁଖ ତୁମପାଇଁ କିଏ ଦୂରେ ଥାଇ କରେ ମନେ ଶୁଭମଙ୍ଗଳ ଗାନ
ଦୁଃଖ ହାତଯୋଡ଼ି ପାଦେପଡ଼େ ସ୍ୱାର୍ଥ ଭୟ ଅବା ଦୁର୍ବଳ କାରଣ
ସୁଖ ସତ୍ୟ ଅର୍ଜିତ ଧନେ ଅଳପରେ ବିତି ଯାଉଥିବା ଦୀନ ଜୀବନ
ଦୁଃଖ କଳାଟଙ୍କାର ଚାଦର ଘୋଡାଇ ମନ୍ଦିର ତୋଳି ପୂଣ୍ୟ ସପନ
ସୁଖ ଏକ ପଥ ଯେଉଁ ପଥେ ଭାଇ କେମିତି ଅଛର ହସ ସମ୍ବୋଧନ
ଦୁଃଖ ପରା ପଛେ କଥନ ସେହି ଲୋକଟିର ସହରେ ଭାରି ସମ୍ମାନ
ସୁଖ ପରା ବଞ୍ଚିବା ମିଥ୍ଯାଠୁ ଦୂରେଇ ମନେ ରଖି ସରଳତା ସ୍ୱାଭିମାନ
ଦୁଃଖ ଜାଣ ବିଜୁଳି ଚୋରି କରି ଛକରେ ଦେଖାନ୍ତି କାର୍ ଏସିର ଜ୍ଞାନ
ସୁଖ ନିଜ ସାମର୍ଥ୍ୟରେ ଅସହାୟର ସମସ୍ୟାର ସ୍ୱଳ୍ପ ହେଉ ସମାଧାନ
ଦୁଃଖ ବୁଲେଟରେ ରାସନ ଚାଉଳ ଆଣି ସେଇଠି ଗରୀବକୁ ଅପମାନ।