ଜୀବନ ସଙ୍ଗୀତ
ଜୀବନ ସଙ୍ଗୀତ
ଜୀବନ ସଂଗୀତ ଗାଇଲି କେତେ ମତେ
ଗାଉଛି ଗାଉଥିବି ଜୀବନ ଥିବାଯାଏ,
ତୁମେ ମୋ ପ୍ରିୟତମ ମୋ ପ୍ରଭୁ ଜଗନ୍ନାଥ
ଜୀବନ ତରଣୀକୁ ଚଳାଇ ନେବ ଛାଏଁ ।
ଜଗତ ଠାକୁର ହେ ନୀଳ ଶଇଳବାସୀ
ଚଳାଉଛ ସଂସାର ପାପତାପକୁ ନାଶୀ,
ସଂସାର ସ୍ରୋତସ୍ବିନୀ ଦୁଇ କୂଳକୁ ପାଏ
ଚରଣାମୃତ ପାଇ ତୋର ନାମକୁ ଗାଏ ।
ବଂଧୁମହାନ୍ତି ବନ୍ଧୁ ହୋଇଲା ତୋର ପୁଣି
ସାଲବେଗର ଡାକ ଶୁଣିଲ ଚକ୍ରପାଣି,
ଦାସିଆ ବାଉରୀ ନଡ଼ିଆ ସମର୍ପି ଦିଏ
ମୁଁ କିବା ତୋର ବନ୍ଧୁ ନୁହଁଇ ସାଥିଟିଏ ।
ହୃଦୟ ମନ୍ଦିରରେ କରଇ ପୂଜା ତୋର
ତୋ ରୂପଛବି ଆଙ୍କେ ମନ ମନ୍ଦିରେ ମୋର,
ବିଶାଳ ଭଙ୍ଗିମାରେ ତୋ ରଙ୍ଗ ଅଧରରେ
ମୋହୁଛୁ ସାରା ବିଶ୍ବ ମାଟି ଆକାଶଯାଏ ।
ତୋହରି ଇଙ୍ଗିତରେ ଚଳଇ ଏ ସଂସାର
ସୂର୍ଯ୍ଯଚନ୍ଦ୍ର ଚଳଇ ପବନ ବହେ ଘୋର,
ଏ କ୍ଷୁଦ୍ରପ୍ରାଣୀ ପାଇଁ ଯୋଗାଡ଼ ତୋର ଏତେ
ଲଭିବି କୃପାବିନ୍ଦୁ ମୋ ଜୀବ ଥିବାଯାଏ ।
ଜୀବନ ପ୍ରିୟତମ କଳାକାଞ୍ଚନ ତୁ ମୋ
ତୋ ବିନେ ମୋ ଜୀବନ ତୁଚ୍ଛ ମାଟିର ସମ,
ମୋହର ବୋଲି କିଛି ନାହିଁ ସବୁ ତୋହର
ଜୀବ ଶରୀର ଆତ୍ମା ତୋ ନାମ ଗାଉଥାଏ ।
ଝରେ ମୋ ଆତ୍ମାପକ୍ଷୀ ଝୁରୁଛି କେଉଁ କାଳୁ
ସ୍ଥଳ ଜଳ ଆକାଶ ସରଗ ପାତାଳରୁ,
ସବୁଠି ତୁମେ ଅଛ ଯାହା ଜଗତ ଦିଶେ
ଜୀବନ ସଂଗୀତ ଗାଏ ନାମକୁ ଝୁରୁଥାଏ ।
ଆତ୍ମା ଯେ ତୋର ବାସ ମୁହିଁ ମାତ୍ର ନିମିତ୍ତ
ବୃଥା ଛଳନା କରେ ଅହଂକାରେ ପ୍ରମତ୍ତ,
ପ୍ରମତ୍ତବାରଣ ହେ କାରଣ ନାମ ହୁଏ
ଆରତତ୍ରାଣ ପ୍ରଭୁ ହୁଅ ମୋ ପ୍ରଭୁଟିଏ ।
ତୋହର ଅଙ୍ଗେ ବାସ ଏହି ମୋହର ଆଶ
ପାପ କର ମୋ ନାଶ ପ୍ରଶରି ତୋର ବାସ,
ପଞ୍ଚଭୂତ ଶରୀର ମିଶୁ ପାଉଁଶ ସାର
ପଞ୍ଚଭୂତରେ ଲୀନ ହେଉ ଶରୀର ଛାଏଁ ।
ମାଗିଦେଲି ବୋଲି ମୁଁ ଅଜ୍ଞାନ ମୁଢ଼ଟିଏ
ଇଚ୍ଛା ହେଉ ତୋ ପୂର୍ଣ୍ଣ ଇଚ୍ଛାର କାରଣ ହେ ,
ବାନ୍ଧିଛି ଦୃଢ଼ ଆଶା ଏ ଜୀବ ଥିବାଯାଏ
କୃପାବାରିଧି ତୁମେ ମୁଁ ଛାର ଟିକିଟିଏ ।