ଚିହ୍ନା ଚିହ୍ନା ନୀରବତା
ଚିହ୍ନା ଚିହ୍ନା ନୀରବତା
ଚିହ୍ନା ଚିହ୍ନା ନୀରବତା ଭିତରେ
ବେଳେ ବେଳେ ମୋର ବି ଭାରି ଇଚ୍ଛା ହୁଏ
ନଦୀ ପରି ବହୁ ଦୂରକୁ ବୋହି ଯିବା ପାଇଁ
ସାଗରରେ ମିଶି ଯାଆନ୍ତି ଆକାଶକୁ ଚାହିଁ ;
ନଥାନ୍ତା ମୋ ଜୀବନେ ସୀମା ପୂର୍ଣ୍ଣଛେଦ କମା
ମୋ ଚାରିପାଖେ ଥାଆନ୍ତା
ପୃଥିବୀ ଯାକର ସବୁଜିମା,
ବୁଝି ପାରନ୍ତି ପାହାଡ଼ର ଅବୁଝା ସ୍ନେହକୁ
କିଚିରି ମିଚିରି ଚଢ଼େଇ ମାନଙ୍କ
ଆନମନା ଗୀତରେ
ଛନ୍ଦି ପଡୁନଥାନ୍ତା ଜୀବନର ସତ୍ତା
ଲାଭ କ୍ଷତିର ତର୍ଜମା ଭିତରେ
ଭୂତ ଭବିଷ୍ୟତର ଜଟିଳ ବୀଜଗଣିତରେ ।
ରାତ୍ରିର ଆୟୁଷ ସହ ତାଳ ଦେଇ
ମୁଁ ଧିରେ ଧିରେ ତାରା ପାଲଟି ଯାଉଥାନ୍ତି
ନିଜ ଅହଂର କଫିନ ଭିତରେ
ନିଜ ଅବାଞ୍ଛିତ ଆକାଂକ୍ଷାକୁ ନିଜେ ସଜାନ୍ତି ।