STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଛଟପଟିଆ

ଛଟପଟିଆ

1 min
600


ଛଟପଟିଆ ଏ ଛଟପଟିଆ (ଘୋଷା )

ପିନ୍ଧା ଲୁଗା କାନି ହେଲେ ଛୋଟିଆ 

ଗାୟକ ହୋଇଲେ କଣ୍ଠ ମୋଟିଆ 

ଘରର ମୁରବୀ ହେଲେ ଗଣ୍ଠିଆ 

ନବ ବଧୂ ଯଦି ଦାଣ୍ଡରେ ଠିଆ |(1)


ପାଇକ ହେଲେ ଚରଣ ଫାଟୁଆ 

ପୁଅ ହେଲା ଯଦି ଅଧା ପାଠୁଆ 

ପାନ ଗୁଆ ଯଦି ନାହିଁ ବଟୁଆ 

ଆରକ୍ଷୀ ହୋଇବ ଯଦି ପେଟୁଆ |(2)


ବାଟକୁ ଡରିବ ଯେବେ ହାଟୁଆ 

ହାକିମ ହୋଇବ ଯଦି ଲାଞ୍ଚୁଆ 

ୱାର୍ଡ ମେମ୍ବର ହେଲେ ପେଞ୍ଚୁଆ 

ପାଖ ଘର ଯେବେ ମଦ ଭାଟିଆ |(3)


ବାରିକ ହୋଇଲେ ଚଟପଟିଆ 

ଦୋକାନେ ରହିଲେ ବହୁ ବାକିଆ 

ଜମି ଚଷେ ଯିଏ ହୋଇ ବେଠିଆ 

ଆୟ ଠାରୁ ବ୍ୟୟ ହେଲେ ଉଠିଆ |(4)


ତୁଠ ପାଣି ଯଦି ହେଲା ଘାଣ୍ଟିଆ 

ରାଜା ଯଦି ହୁଏ ବୁଢ଼ା ଖଣ୍ଟିଆ 

ବ୍ରାହ୍ମଣର ହେଲେ ଜିଭ ଛୋଟିଆ 

ବେପାରୀ ଯଦ୍ୟପି ହେଲା ଖାଣ୍ଟିଆ |(5)


ବଳଦ ଯାହାର ହୁଏ ନାତୁଆ 

ଘୋଡ଼ା ହୋଇଥିବ ଯଦି ମଠୁଆ 

ଘର ହୋଇଥିଲେ ଅତି ବାଣ୍ଠିଆ 

ଆଣ୍ଠୁ ଗଣ୍ଠି ଯଦି ହେଲା ବାତୁଆ |(6)


ମିଛୁଆ ହୋଇବ ଯେବେ ପେଣ୍ଠିଆ 

ରାଜା ହୋଇଥିବ ଏକଚାଟିଆ 

ସବୁବେଳେ ଯିଏ ଭଟଭଟିଆ 

ଜଙ୍ଗଲ ସମ୍ପଦ ହେଲେ ନଷ୍ଟିଆ |(7)


ବିଚାରକ ହେଲେ ପକ୍ଷପାତିଆ 

ମଲ୍ଲ ହୁଏ ଯେବେ କୁତୁକୁତିଆ 

ଉପ୍ରୋଧିଆ ଯଦି ହେଲା ଘାଟିଆ 

ତେଲୀ ହୋଇ ଯେବେ ନୁହେଁ ଗଣ୍ଠିଆ |(8)


ଭାରିଜା ହୋଇଲେ ଖଟଖଟିଆ 

ବାଡ଼ିରେ ବଢ଼ିଲେ ଜଟଜଟିଆ 

ସାଧକ ହୋଇଲେ ମନ ମୋଟିଆ 

ବାବାଜୀ ହୋଇକି ଯେ ଲମ୍ପଟିଆ |(9)


ଦୁହାଁ ଗାଈ ଯଦି ହୁଏ ନାତୁଆ 

ନିଜଲୋକ ହେଲେ ପରପଟିଆ 

ବାଟେ ଅଟକିଲେ ଫଟଫଟିଆ 

ଲେଖକ ହୋଇଲେ ଅଧବାଟିଆ |(10)


ସରକାର ହେଲେ ବହୁ ମେଣ୍ଟିଆ 

ବଜେଟ ହୋଇଲେ ଛାଣ୍ଟକାଣ୍ଟିଆ 

ଯୌତୁକ ମାଗିଲେ ବର ପକ୍ଷିଆ 

ଭୋଟରେ ହେଲେ ଟଙ୍କା ବାଣ୍ଟୁଆ |(11)


ସାକ୍ଷୀ ଯେବେ ହୋଇଥିବ ମିଛୁଆ 

ଚାକର ହୋଇଲେ ମନ ମୋଟିଆ 

ଶାସକ ଯଦି ନହେଲା ଖାଣ୍ଟିଆ 

କହେ ଜଗା ଏତ ଛଟପଟିଆ |(12)



Rate this content
Log in

Similar oriya poem from Inspirational