STORYMIRROR

Ajaya Mahala

Romance Fantasy

4  

Ajaya Mahala

Romance Fantasy

ଛିଃ !

ଛିଃ !

1 min
171

ଯେବେ ମୁଁ 

ତୁମ ଅଗାଧୁଆ ଦେହ, ତୁମ ଝାଳ

ଧୋଇ ନ ଥିବା କେଶ

ପଶୁ ପରି ଶୁଙ୍ଘି ନିଏ

ତୁମେ ଛିଃ ଛିଃ କୁହ

କିନ୍ତୁ ସେହି ସମୟରେ 

ବିସ୍ଫାରିତ ନେତ୍ରରେ

ଅନୁଭବ କରୁଥାଅ 

ମୋର ପଶୁତ୍ବକୁ  ।

ପତଙ୍ଗ ପରି ମୁଁ 

ଯେବେ ଟାଣି ହୋଇ ଯାଉଥାଏ

ତୁମ ନିଜକୁ ଦିଶୁ ନ ଥିବା

ଦେହର ନିଆଁକୁ

ତେବେ ତୁମକୁ ବୁଝାଇ କହିବା 

କି ଦରକାର ଯେ

ତୁମ ପାଇଁ ମୋର ଏ ଚଣ୍ଡାଳପଣିଆ 

ଆଉ ଦୁନିଆଁ ଯାକର ପଶୁତ୍ବ, 

ଆଉ ଶୁଦ୍ରତ୍ୱକୁ ଆଲିଙ୍ଗନ ମୋର ।

ସହରକୁ ଯିବା ପୂର୍ବରୁ

ଯେବେ ମୁଁ ନିଷ୍ଠୁର ବୁଝେନି 

କଷ୍ଟରେ ଭାଙ୍ଗି ପଡୁଥିବା 

ତୁମ ଦେହ ଆଉ ମନ 

ତୁମେ ଛିଃ ଛିଃ କହିଲେ ବି

ଅମାନିଆଁ ଜିଦ କରିବସେ

ସେତେବେଳେ ଆସିବାକୁ ଦିଅ 

ତୁମେ ମୋତେ 

ତୁମ ବିପର୍ଯ୍ୟସ୍ତ ଦେହ ସହରକୁ

ସହିଯାଅ ସବୁକିଛି

ତୁମ ଭଙ୍ଗାରୁଜା ଦେହମନ 

ମୋ ପଶୁତ୍ବକୁ ବଳି ଚଢିଯାଏ ।

ଦୁଷ୍ଟାମି ବି କରେ 

ତୁମ କୋମଳ ମନ ସହ 

ତୁମ ହୃଦୟର ସୂକ୍ଷ୍ମତମ ତାର ଛୁଇଁ ଦେଇ

ତୁମ ବିଳପି ଯାଉଥିବା ଆତ୍ମାର 

ପ୍ରତିକ୍ରିୟା ସବୁ 

ପଢିବାକୁ ଭାରି ଭଲ ପାଏ

କେବେ କହିଦିଏ

"ମୁଁ ଯଦି ମରିଯାଏ

ମତେ ମନେ ରଖିବ ତ?" 

ଛେପ ପକାଇ ଦିଅ ମୋ ଛାତିରେ 

ଅଦୃଷ୍ଟ ନଜରରୁ ବଞ୍ଚେଇବା ପାଇଁ

ମୁହଁରୁ ବାହାରି ଆସେ

"ଛିଃ, ସେ କଥା ଆଉ 

ତୁଣ୍ଡରେ ଧରିବନି କେବେ ।"

କେବେ ପାଦର ଅଳତା ଦେଖି 

ତୁମ ପାଦ ସ୍ନେହବଶ

ଉଠାଇ ନିଏ କୋଳକୁ

ଦେଖୁଥାଏ ତୁମ ଫଟା ଗୋଇଠିରେ

ତୁମ ହଜାର ପାଇଟିର ଚିତ୍ର

ଗୋଟିଏ ଦିନରେ 

ହଜାର ଅଣ୍ଟା ନଇଁବାର

ହଜାର ଥର 

ଅଣ୍ଟା ସିଧା କରି ଛିଡା ହେବାର

ଯାହାର ହିସାବ ନ ଥାଏ

ତୁମେ କିନ୍ତୁ 

ଓଲଟା ମୋ ଗୋଡ଼ ଛୁଇଁ ଦିଅ

କୋଳରୁ ଗୋଡ଼ ଟାଣି ନେଲାବେଳେ କୁହ

"ଛିଃ, କେବେ ଗୋଡ଼ ଧରିବନି

ତୁମ ଜାଗା ସବୁବେଳେ ଉପରେ"

ଯେବେ ଅବୁଝା ହୋଇ ପ୍ରଶ୍ନ କରେ 

ତୁମ ମୁଣ୍ଡ କଣ

ତୁମ ପାଦ କଣ

ମୋ ପାଇଁ ସବୁତ ତୁମ ପ୍ରିୟ ଦେହ!

ତୁମ ଆଖି ଓଦା ହୁଏ

ତୁମେ ଟିକେ ରହି ଯାଇ 

କଣ୍ଠ ନରମେଇ କୁହ

"ଛିଃ, ଏତେ ଭଲ ପାଅନି

ଭଗବାନ ବି ସହିବେନି । "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance