ଛାଇ
ଛାଇ
ଦେହର ସାଥିରେ ଛାଇ ରହିଥାଏ
ନିଜଠୁ ନିଜର ସିଏ
ତାହାଠୁ ନିଜର ଅତି ଆପଣାର
ନା ହେଇଥାଏ କିଏ ?
ସବୁବେଳେ ସିଏ ସାଥେ ରହିଥାଏ
ନା କେବେ ଦିଏ ଧୋକା
ଶୟନେ ସ୍ୱପନେ ଅବା ଜାଗରଣେ
ସେ ମୋ ମନ ନାୟିକା ।
ଦୁଃଖରେ ସୁଖରେ ବିପଦେ ଆପଦେ
ପାଖ କେବେ ଛାଡେ ନାହିଁ
ଜୀବନ ସହିତ ମରଣ ପର୍ଯ୍ୟନ୍ତ
ସାଥେ ସିଏ ଥାଏ ରହି ।
ଯେଉଁ ଆଡେ ଗଲେ ସାଥେ ଯାଉଥାଏ
ଚିର ସହଚର ସେହି
ଗୋଟିଏ ମୁହୂର୍ତ୍ତ ଅଲଗା ହୁଏନି
ବଞ୍ଚିଥିବା ଯାଏ ମହୀ ।
ସକାଳ ପହିଲି ସୁରୁଯ କିରଣ
ବସୁନ୍ଧରା ଛୁଇଁ ଯାଏ
ସେହି ସମୟରେ ଶରୀର ଅପେକ୍ଷା
ଛାଇ ବଡ ରହିଥାଏ ।
ଆକାଶ ମାର୍ଗରେ ମଧ୍ୟାହ୍ନ ସୁରୁଯ
ଉଙ୍କି ମାରୁଥାଏ ଯେବେ
ଶରୀର ଅପେକ୍ଷା ନିଜ ହେହ ଛାଇ
ଛୋଟ ହେଇଯାଏ ତେବେ ।
ପୂର୍ବାହ୍ନରେ ଛାଇ ଅତି ବଡ ହୁଏ
ସୂର୍ଯ୍ୟ ଯାନ୍ତି ପଶ୍ଚିମକୁ
ଏହି ପରି ଛାଇ ଗୋଟିଏ ସ୍ତରରୁ
ଗତି ଯେ ଅନ୍ୟ ସ୍ତରକୁ ।
ସକାଳର ଛାଇ ପଶ୍ଚିମରେ ପଡେ
ମଧ୍ୟାହ୍ନରେ ନିଜ ତଳେ
ସୂର୍ଯ୍ୟ ଅସ୍ତକାଳିନରେ ସର୍ବ ଛାଇ
ଦେଖାଯାଏ ପୂର୍ବାଞ୍ଚଳେ ।
ସୂର୍ଯ୍ୟ ଆଲୋକରେ ଚନ୍ଦ୍ର ଜୋଛନାରେ
ଛାଇ ଦେଖା ଯାଉଥାଏ
ଯେତେବେଳେ ସୂର୍ଯ୍ୟ ଚନ୍ଦ୍ର ନ ରୁହନ୍ତି
ଛାଇ ଆପେ ଲୁଚି ଯାଏ ।
ଅନ୍ଧାରରେ ଛାଇ ଲୁଚି ଯାଉଥାଏ
ଆଲୋକରେ ଦେଖା ଦିଏ
ପାଣିର ଢେଉରେ ଚହଲି ଯାଏ ସେ
ନିଶ୍ଚଳରେ ରହି ଥାଏ ।
କିଟିମିଟି ଅମା ଅନ୍ଧାର ରାତିରେ
ମନେ ଭୟ ଲାଗୁ ଥାଏ
ନିଜର ଛାଇକୁ ନିଜେ ବି ଦେଖିଲେ
ଛାତି ବି ଚମକି ଯାଏ ।
ସୂର୍ଯ୍ୟ, ଚନ୍ଦ୍ର, ପୃଥ୍ବୀ ଛାଇ ଆଲୁଅର
ଖେଳବି ସଂକେତ ଦିଏ
ସେଇ ଛାଇ ଯୋଗୁଁ ସୁରୁଯପରାଗ
ଚନ୍ଦ୍ର ଗ୍ରହଣ ବି ହୁଏ ।
ପ୍ରତିଟି ଜିନିଷ ଜୀବର ମଧ୍ୟରେ
ଏଇ ଛାଇ ରହି ଥାଏ
ମଶାଣୀ ଜୁଇରେ ଜଳିଗଲା ପରେ
ଛାଇ ଆପେ ଲୁଚି ଯାଏ ।
ତା' ପରି ଏମିତି ମିତ ଟିଏ କିଏ
ଅଛି ଏଇ ଦୁନିଆରେ
ଜୀବନଠୁ ପୁଣି ମରଣ ପର୍ଯ୍ୟନ୍ତ
ରହେ ଜୁଇ ପାଉଁଶରେ ।