STORYMIRROR

Sambit Srikumar

Inspirational

4  

Sambit Srikumar

Inspirational

ଛାଇ ଖୋଜୁନଥିବା ଝିଅ

ଛାଇ ଖୋଜୁନଥିବା ଝିଅ

1 min
307

ଧୁ ଧୁ ଖରାବେଳେ ବ୍ୟସ୍ତ ବହୁଳ ଭୁବନେଶ୍ୱର 

ମହାନଗରୀ ମଧ୍ୟଭାଗର ଟ୍ରାଫିକ୍ ପୋଷ୍ଟରେ 

ଠିଆ ହୋଇଥିବା ମହିଳା କନେଷ୍ଟବଳଟି 

ବି ତ ହୋଇଥିବ କାହାର ଅଲିଅଳି ଝିଅ

ଦିନେ ବଢ଼ିଥିବ କେତେ ଗେଲବସରରେ

କେତେ ସ୍ନେହ ଶ୍ରଦ୍ଧା ଆଦରରେ

କେତେ ଆଶା ଥିବ ସଭିଙ୍କର ତା' ଉପରେ!! 


ପେଟପାଟଣା ଦାୟରେ ସିଏ ଆଜି 

ସାଜିଛି ପ୍ରହରୀ ଦୁନିଆ ଦାଣ୍ଡରେ 

ନିତି ସହୁଛି କେତେ ଟାହିଟାପରା 

କେତେ କେତେ ବକ୍ର କଟୁ ଦୃଷ୍ଟି 

ତା'ର କମନୀୟ ଅଙ୍ଗରାଜିର ସୁଦୃଢ଼ 

ସୁରକ୍ଷା ବଳୟ ଭେଦି ଯାଉଅଛି 

କେହି ବି କେବେ ସେକଥାର କଳନା କରିନି!! 


ପ୍ରଭାବଶାଳୀଙ୍କ ଅପତ୍ୟବର୍ଗ 

ନେତା ମନ୍ତ୍ରୀଙ୍କ ଚେଲା ଚାମୁଣ୍ଡା 

କୁଜିନେତା ବାହୁବଳୀ ଧପ୍ପାବାଜ 

ଦଲାଲ ଲାଞ୍ଚଖୋର ଟାଉଟର 

ଦେଖାନ୍ତି ତାହାକୁ କେତେ ରୁବାବ 

ନାଲି ଆଲୁଅ ଡେଇଁ କରି ଦର୍ପରେ 

ଆଇନକାନୁନର କଥା କହିଲେ 

ଓଲଟି ଆକ୍ରମଣ କରନ୍ତି ତା' ଉପରେ 

କଣ ବା ଆଉ ଚାରା ତାହାର?? 


ଶୃଙ୍ଖଳା ବାନ୍ଧି ଦେଇଛି ତାହାକୁ 

ନୀତିର ହାତକଡିରେ 

ନିୟମର ବେଡିରେ 

ସହିଯିବାକୁ ହେବ ସବୁକିଛି 

ଅସୀମ ଧୈର୍ଯ୍ୟର ସାହାରାରେ 

ସୀମିତ ସାଧନରେ ଭରିବାକୁ ଅଛି 

ବହୁ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର 

ନିଭାଇବାକୁ ଅଛି କର୍ତ୍ତବ୍ୟ ବଡ଼ ଝିଅର 

ନୀରବି ଯାଏ ପ୍ରତିବାଦର ସ୍ୱର!! 


ପ୍ରତିବାଦ କଲେ ବା ଶୁଣିବ କିଏ? 

କାହା ଆଗେ କରିବ ଗୁହାରି? 

ଇଏ ତ ଗୋଲାମନଗରୀ

ବାବୁ ଭାୟା ବଡବଡିଆଙ୍କ ଗହଳି ଚହଳି 

ମଳି ମୁଣ୍ଡିଆ ଖଟିଖିଆ ମଜୁରିଆଙ୍କ 

ଅବା କିଏ ଶୁଣୁଛି ଏଠି ଅଳି ଅର୍ଦ୍ଦଳି?? 


ଚାରିଆଡ଼େ ସବୁଜ ବନାନୀ ରହିଛି ବେଢ଼ି 

ପଥଚାରୀ କେତେ ନେଇଛନ୍ତି ବିଶ୍ରାମ ସେଠି 

ଦେଖି ମନରେ ଖିଆଲ ଆସେ ଶୀତଳତାର 

ଦଣ୍ଡେ ପହରେ ଥକ୍କା ମେଣ୍ଟାଇବାକୁ 

ଏତିକିରେ ବାଜେ ସତର୍କ ସାଇରନ୍ 

ଅତି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆଗମନର 

ସୁଗମ କରିବାକୁ ହେବ ପଥ ସେମାନଙ୍କର

ନଚେତ୍ ହୋଇବ ଦଣ୍ଡ ବିଧାନ କଠୋର!! 


କର୍ତ୍ତବ୍ୟ କରିବାର ଅଛି ତା'କୁ ଏକା ଏକା 

ଠିଆ ହୋଇ ଡହକରେ ଟ୍ରାଫିକ୍ ପୋଷ୍ଟରେ 

ଥକ୍କା ଲାଗିଲେ ବି ତିଳେ ନାହିଁ ନିସ୍ତାର 

ତଣ୍ଟି ଶୁଖିଗଲେ ପିଏ ତତଲା ପାଣି

ଆଖିରୁ କେବେ ଢାଳେ ନାହିଁ ଅଶ୍ରୁଜଳ 

ନିନ୍ଦେନି ଭାଗ୍ୟକୁ କଥାରେ କଥାରେ 

ଛାଇ ଖୋଜୁନଥିବା ସେଇ ନିରିମାଖି ଝିଅ

ଅବଳା ଦୁର୍ବଳା ହୀନବଳା ନୁହେଁ 

ବୀରାଙ୍ଗନାଟିଏ ବାସ୍ତବ ଅର୍ଥରେ!! 



Rate this content
Log in

Similar oriya poem from Inspirational