STORYMIRROR

Ananga Patel

Comedy Inspirational

4  

Ananga Patel

Comedy Inspirational

ଛାଡଖାଇ

ଛାଡଖାଇ

1 min
5


ଆସ ଭାଇ ମାଡିଯିବା,

  ଆଜି ଛାଡଖାଇ,

ମିଳିବ ଛେଳି କୁକୁଡ଼ା,

   ସବୁ ଯିବା ଖାଇ ।


ମଦ ବୋତଲକୁ ଧରି,

  ନାଚି ନାଚି ଯିବା,

ଅଶ୍ଳୀଳ ଭାଷାରେ ଆମେ,

   ସର୍ବେ କଥା ହେବା ।


କାର୍ତ୍ତିକ ମାସରେ ସବୁ,

   ପାପ କଟିଗଲା,

ପାପ ଜମାଖାତା ମୋର

   ଶେଷ ହୋଇଗଲା ।


ପୂଣ୍ୟ ଋଣ ଭାର ମତେ,

  ବୋଝିଲା ଲାଗଇ,

ଅରଜିବି ପାପ ମୁହିଁ ,

   ମଦ ମାଂସ ଖାଇ ।


ଆଜିଠାରୁ ଅରଜିବା,

   ସବୁ ପାପ କର୍ମ,

କାର୍ତ୍ତିକ ମାସେ ଶୁଝିବା,

   କରି ଆମେ ଧର୍ମ ।


ବାରମାସ ଯାକ ଆମେ,

  ପାପ କରୁଥିବା,

ଗୋଟିଏ ଦିନରେ ସବୁ,

   ପାପ ଧୋଇଦେବା ।


ଧରମ କରିବା ଭାଇ,

   ସହଜ ଅଟଇ,

କାର୍ତ୍ତିକ ପୂର୍ଣ୍ଣିମା ଦିନ,

  ଡ଼ଙ୍ଗାକୁ ଭସାଇ ।


ପାପ ମୋର ଯେତେ ଅଛି

   ସବୁଯାକ ନେଇ,

ପୂଣ୍ୟ ଦିଅ ମତେ, କହି

  ଦେଲେତ ଗାଧୋଇ ।


ଅର୍ଜିଥିବା ଯେତେପାପ,

   ପୂଣ୍ୟ ନେଇଯାଏ,

ପାପ ଶୂନ୍ୟ ହୋଇଯାଉ,

   ବୋଲନ୍ତି ଥୋକାଏ ।


ବିନା ପାପେ ଆମେମାନେ,

     ଚଳି ନ ପାରିବା,

ସେଥିପାଇଁ ଆଜିଠାରୁ,

    ପାପ ଅରଜିବା ।


ସତ୍ୟ ବଚନ କହିଲ,

  ଏହା ବ୍ରହ୍ମଜ୍ଞାନ,

ମାଡ ସେ ଖାଇବ ଆଜି,

  ଦେଲେ ଧର୍ମ ଜ୍ଞାନ ।


ପାପ ରାଜ୍ୟେ ପୁଣ୍ୟର ତ

  କିଛି କାର୍ଯ୍ୟ ନାହିଁ,

ଅନ୍ଧ ଦେଶରେ ଦର୍ପଣ,

  ଯେହ୍ନେ ହୋଇ ଥାଇ ।


ଧରମ କଥା ଶିଖାଅ,

  ତୁମ୍ଭେ କାହିଁ ପାଇଁ,

ପୁରାଣରେ ସବୁକଥା,

  ଲେଖା ଅଛି ହୋଇ ।


ଅଜାମିଳ ନାମେ ଥିଲା,

   ଏକ ମହା ପାପୀ,

ଦିନେ ହେଲେ ପ୍ରଭୁ ନାମ,

   ନ ଥିଲା ତ ଜପି ।


ମରିବା ବେଳେ ଡାକିଲା,

   ପୁଅ ନାରାୟଣ,

ମୋକ୍ଷ ପାଇଗଲା ସିଏ,

   ପୁଅ କୁ ଡାକିଣ ।


ଅନଙ୍ଗ ଭଣଇ ଆଜି,

   ମାର୍ଗଶିର ମାସ,

ଏମାସରେ ମନା ଅଛି,

  ଖାଇବା ଆଇଁଷ ।


ଆଇଁଷ ଖାଇଲେ ଲକ୍ଷ୍ମୀ,

   ମାଆ ରାଗିଯିବେ,

ଆଶୀର୍ବାଦ ପରିବର୍ତ୍ତେ,

   ଅଭିଶାପ ଦେବେ ।


ଏକଥା ଶୁଣିଲେ ଯେହ୍ନେ,

   ଥୋକାଏ ଯୁବକ,

ରାଗରେ ପଞ୍ଚମ ତାଙ୍କ

  ହୋଇଗଲା ଦେଖ ।


ଧରିଆଣ ତାକୁ ଆଜି,

   ଲଙ୍ଗଳା କରିବା,

ଧରମ କରମ ସବୁ,

   ଆଜି ଛଡ଼େଇବା ।


ଡିଷ୍ଟର୍ବ କରିଲେ ଆଜି,

  ମାଡ ସେ ଖାଇବ,

ସାତ ପୁରୁଷ ଯାକର,

   ସିଏ ନାମ ନେବ ।


ଯେତେ ଧର୍ମ କର୍ମ କଥା,

  ଅଟେ ତାର ପାଇଁ,

ନ ଶୁଣାଅ ଧର୍ମବାଣୀ,

  ଆଜି ଛାଡ଼ଖାଇ ।


ଜାଣିନାହିଁ ସିଏ କିଛି,

   ପାଗଳ ଅଟଇ,

ସବୁକଥା ଭୁଲିଯାଅ,

  ଆଜି ଛାଡ଼ଖାଇ ।


ଯିଏ ଯାହା କହୁଅଛି,

  ମାନନାହିଁ କିଛି,

କାହିଁକି ମାନିବି କୁହ,

   ଯାହା ମୁଁ ବୁଝିଛି ।


ମୋହର ପାପକୁ କଣ,

   ତୁମେ ନେଇଯିବ,

ମୋହର ପାପର ଦଣ୍ଡ,

  କି ତୁମେ ଭୋଗିବ ।


ମଦକୁ ମାଉଁସ ଯେତେ,

  ପେଟେ ଯିବା ଖାଇ,

ମନକୁ ଖୁସି କରିବା,

   ଆମେ ନାଚି ଗାଇ ।

ସବୁକଥା ଭୁଲିଯାଅ,

  ଆଜି ଛାଡ଼ଖାଇ ।



Rate this content
Log in

Similar oriya poem from Comedy