ଚେତନା
ଚେତନା
କିଛି ଅନୁତାପ କିଛି ଅନୁଭୂତି
କିଛି କିଛି ତ୍ରୂଟି ପାଇଁ,
ମନ ବୁଦ୍ଧି ଜ୍ଞାନ ଏକତ୍ର ହୁଅନ୍ତି
ଚେତନା ଜାଗି ଉଠଇ।
ମଣିଷ ପଣିଆ ପ୍ରକଟିତ ହୁଏ
ଚେତନା ଚେଇଁ ଉଠିଲେ,
ବୁଦ୍ଧି ହୁଡିଗଲେ ଜ୍ଞାନ ହଜୁଅଛି
ଅଜ୍ଞାନତା ଅନ୍ଧକାରେ।
ମନ ଯେବେ ପୁଣି ଚୈତନ୍ୟ ଇଙ୍ଗିତେ
ବୁଦ୍ଧିକୁ ଆଗେ ଚଳାଏ,
ଚେତନା ବଳରେ ଇନ୍ଦ୍ରିୟର ମାୟା
ଅବହେଳେ ତୁଟିଯାଏ।
"ମୁଁ' କିଏ ଏଠି ପ୍ରଶ୍ନ ହୋଇପାରେ
ଚେତନା ଜାଗ୍ରତ ହେଲେ,
କର୍ତ୍ତବ୍ୟବୋଧର ଗୁରୁ ଜ୍ଞାନ ମିଳେ
ଚେତନାଟି ପ୍ରକାଶିଲେ।
ଚେତନା ଅଟଇ ଅଜ୍ଞତା ଅନ୍ଧାରେ
ଜ୍ଞାନର ଚନ୍ଦ୍ରମାଟିଏ,
ଚେତନା ଅଟଇ ଅଡ଼ୁଆ ସୂତାର
ସମାଧାନ ବାଟଟିଏ।
ଚେତନାଟି ପୁଣି ଅଫଳନ୍ତି ବୃକ୍ଷେ
ପୁଷ୍ଟିସାର ଫଳଟିଏ,
ସହସ୍ର ଯୋଜନ ପ୍ରାର୍ଥକ୍ଯ ନିକଟ
ଚେତନା ବଳରେ ହୁଏ।
ଉଚିତ୍ ଚିନ୍ତାର ପ୍ରକାଶ ନିମନ୍ତେ
ସିଏ ସଦା କାର୍ଯ୍ୟରତ,
ଦିବାଆଲୋକରେ ଚେତନାପ୍ରକାଶେ
ଜ୍ଞାନ ହୁଏ ଉଦ୍ଭାଷିତ।
ଅନେକ ପ୍ରଶ୍ନର ଉତ୍ତର ଯେ ଖୋଜେ
ସେ ଅଟେ ପରା ଚେତନା ,
କିଏ ଗୁରୁ ଆଉ କିଏ ଶିଷ୍ୟ ଏଠି
କିଏ ବା କଲା ସର୍ଜନା?
କାହାର କେଉଁଠି ବାସସ୍ଥାନ ପୁଣି
ତୁମେ ମୋର କି ଅପର,
ଏ ଗୁଢ ରହସ୍ୟ ଯିଏ ଜାଣିଅଛି
ଚେତନା ନାମଟି ତା'ର।
ଚେତନା ନେଉଛି ହାତ ଆମ ଧରି
ମୁଣ୍ଡରେ ହୋଇ ସବାର,
ଚେତନାର ଭୂତ ଓହ୍ଲେଇବ ଯଦି
ଏ ପିଣ୍ଡ ପଚା ଶରୀର।
ଚେତନାର ତତ୍ତ୍ଵ ଉଦ୍ଧବ ସମ୍ଵାଦ
ରସ ଭାଗବତ ବାଣୀ,
ଯେତେବି ହେଜିଲେ ଚେତାନପଶିଲା
ପଥଭ୍ରଷ୍ଟ ଆଜି ପ୍ରାଣୀ।
ଦୁର୍ଲ୍ଲଭ ଜୀବନ ହୁଏ ଅକାରଣ
ଚେତନାର ଅଭାବରେ,
ଜ୍ଞାନ,ବୁଦ୍ଧି,ଚେତା ଇଙ୍ଗିତରେ ପଥ
ପରିଷ୍କାର ସଂସାରରେ।
ଜୀବନର ଶେଷ ଦୃଶ୍ୟ ଅବସାନେ
ସ୍ଵସ୍ଥାନେ ହୁଏ ପ୍ରସ୍ଥାନ,
ତଥାପି ଚେତନା ଜାଗ୍ରତ ହୁଏନା
ବିଚଳିତ ତେଣୁ ମନ।