ଚେଇଁ ଶୋଇବାର ଅଭିନୟ
ଚେଇଁ ଶୋଇବାର ଅଭିନୟ
ଜୀବନ ଯାତ୍ରାରେ କେତେ ଅଭିନୟ
କେତେ ଛଳନାର ରୂପ
ଜାଣି ଶୁଣି ପୁଣି ନ ଜାଣିଲା ପରି
ନାଟକ ହୁଏ ଅପରୂପ
ମନ୍ଦ ଚିନ୍ତାଧାରା ଅବା ନିଷ୍କ୍ରିୟତା
ନିଜକୁ ସ୍ଥାଣୁ ରୂପରେ
ଚେତନା ଥାଇ ଅବଚେତନା ଭଙ୍ଗୀ
ସୁପ୍ତ ପ୍ରାୟ ଜାଗ୍ରତରେ
ଚଳନ୍ତି ଅବସ୍ଥା ପ୍ରତି ସଚେତନ
ସହ ଜଡ଼ିତ ଅଙ୍ଗାଙ୍ଗୀ
ଛଳନାର ଆବରଣ ଢାଙ୍କି ହୋଇ
ନ ଶୁଣିବା ଭାବ ଭଙ୍ଗୀ
ବାହ୍ୟ ରୂପ ଦେଖି ହୁଏ ଅନୁମେୟ
ବୋଧେ ଚେତନା ବାହାରେ
କିଛି ଶୁଣି ଜାଣି ପାରିବା ଅବସ୍ଥା
ବୋଧେ ନାହିଁ ଆୟତରେ
ଆଖି ମୁଦି ଶୋଇବାର ଅଭିନୟ
ଯଦି ରହିବ ହୃଦରେ
କିଏ ବା ସନ୍ଦେହ ଦୃଷ୍ଟିରେ ଦେଖିବ
ଜୀବନ୍ତ ଅଭିନୟରେ
ଉଦ୍ଦେଶ୍ୟ ମୂଳକ ଭାବେ ଅପରାଧ
ଚକ୍ରବ୍ୟୁହ ଆଢ଼ୁଆଳେ
ଅପରାଧୀ ସହଜରେ ଘୁରି ବୁଲେ
ଛଳନା ସହ କୌଶଳେ
ରହସ୍ୟମୟ ଯୋଜନା କାର୍ଯ୍ୟକାରୀ
ନେତା ଅବା ସେବାକାରୀ
କିଛି ନ ଜାଣିବା ବାହାନା ଦେଖାଇ
ଆତ୍ମସାତ ସେହିପରି
ଯଦି ହୁଏ ଅଭିଯୋଗ ଆନ୍ଦୋଳନ
କି ଅବା ଲାଭ ମିଳିବ
ରକ୍ଷକ ଆଢ଼ୁଆଳେ ଭକ୍ଷକ ହୋଇ
ଅଜ୍ଞତା ହିଁ ଦର୍ଶାଇବ
ଜ୍ଞାତ ଥାଇ ଅଜ୍ଞାତ ର ପରିଚୟ
ଅଟେ ଅତି ମାରାତ୍ମକ
ସମ୍ପର୍କ,ବାଣିଜ୍ୟ ଅବା ଦିନଚର୍ଯ୍ୟା
ବିଘ୍ନ ଘଟିବ ଅନେକ
ଶୋଇବାର ଅଭିନୟ ଆଢ଼ୁଆଳେ
ଯଦି ଚେଇଁ ଶୁଣୁ ଥିବ
ସବୁ ଶୁଣି ଶୋଇ ଥିଲି ଯଦି କହେ
ତା ସହ ଆଉ କି ଭାବ!!
ସେହିପରି ଚେତା ଥାଇ ଶୋଇବାର
ଅଭିନୟ ସମାଜରେ
ଶ୍ରେଷ୍ଠ ଜୀବ ମଣିଷର କାରନାମା
ଆଜି ଦୁର୍ଗତି ପଥରେ ।
