ଚାରିଚକ୍ଷୁ ମିଳନ
ଚାରିଚକ୍ଷୁ ମିଳନ
ଚାରିଚକ୍ଷୁ ହୋଇଯାଏ ଯେବେ ବି ମିଳନ
ଜାଗେ ମନେ ଆକର୍ଷଣ ପୁଲକେ ପରାଣ ।
ଜାତ ହୁଏ ହୃଦୟରେ ଭାବ ଅନୁରାଗ
ଝଲସି ଦିଶେ ଆଖିରେ ଇନ୍ଦ୍ରଚାପ ରଙ୍ଗ ।
ଅବ୍ୟକ୍ତ ଆଖିର ଭାଷା ପ୍ରକାଶେ ସ୍ବଭାବ
ପ୍ରସ୍ଫୁଟେ ସୁମନ ପୁଷ୍ପ ସୁଗନ୍ଧେ ଅପୂର୍ବ ।
ପ୍ରକଟେ ପଟଳ ମନ ହୃଦ ସୁନ୍ଦରତା
କେବେ ମେଘ ମହ୍ଲାରରେ ଓଦା ଆଖିପତା ।
ଏକାନ୍ତରେ ଚାରି ଚକ୍ଷୁ ହେଲେ ଏକାକାର
ରହେ ନାହିଁ ସଂଗୋପିତ କଥା ଅନ୍ତରର ।
ଚାରି ଚକ୍ଷୁ ମିଶିଗଲେ ଉଚ୍ଚାଟଇ ମନ
କଣ୍ଠେ ଶୁଭେ ଗୁଣୁ ଗୁଣୁ ଗୀତର ଗୁଞ୍ଜନ ।
ଲାଗେ ସତେ କରିଦେଲା କିଏ ବା କିମିଆ
ଝୁରେ ମନ ସାଥି ବିନା ଲାଗେ ଏକୁଟିଆ ।
ଖୋଜେ ସଙ୍ଗ ଅନ୍ତରଙ୍ଗ ନିରୀହ ଚାହାଣୀ
ଆଖିରେ ଉକୁଟେ ପ୍ରେମ ନିଏ ମନ କିଣି ।
ଲଜ୍ଜାଭରେ ଯେବେ ମଥା ହୁଏ ଅବନତ
କହେ ଆଖି ନିଃଶବ୍ଦରେ ହୃଦ ସହମତ । ।
-----

