STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ଗୋପୀ ମନୋହାରୀ ବ୍ରଜବିହାରୀ

ଗୋପୀ ମନୋହାରୀ ବ୍ରଜବିହାରୀ

2 mins
15


ଉଦ୍ଧବ ର ବାର୍ତ୍ତା ଶୁଣ ହେ ମୋହନ

ଖବର ଯା' ଗୋପପୁରେ

ତୁମ କଥା ମାନି ଗୋପପୁର ବୁଲି

ଯାହା ଦେଖିଲି ନେତ୍ରରେ

ସଂକ୍ଷେପରେ ଶୁଣ ରାଧା ମନ କଥା

କୁଞ୍ଜବନର ଅବସ୍ଥା

ଝୁରେ ଗୋପପୁର ଯମୁନାର କୂଳ

ସବୁଠି କାହ୍ମା ର କଥା

ଗୋପୀ ମନୋହାରୀ ହେ ବ୍ରଜ ବିହାରୀ

ଯାହା କହିଅଛି ରାଧା

ରାଧା ର ବଚନ ଶୁଣ ହେ ବହନ

ରାଧା ଜୀବନର ବାଧା

କେମିତି ବଞ୍ଚିଛି କ'ଣ କରୁଛି

କିପରି କହିବି ତୋତେ

ଉଦ୍ଧବ ମୁଖରୁ ଶୁଣିଲି ତୋ କଥା

ଝୁରି ହେଉ କେତେ ମୋତେ।

ହୃଦୟର ଏ ଶୂନ୍ୟତା କହୁଛି

ଶୁଭୁନି ବଇଁଶୀ ସ୍ୱର

କାହ୍ନା ପ୍ରେମରେ କିମ୍ପାଇ ବିରହି 

ଶୁଭେ ଅପବାଦ ସ୍ୱର।

ବଇଁଶୀ ସ୍ୱରରେ ରାଧା ରାଧା ଡାକ

ଗୋପରେ ଆଉ ଶୁଭୁନି

ନିଃସଙ୍ଗତା ଏଇ ଜୀବନର ଗାଥା

କାହାକୁ କହି ପାରୁନି।

ମନ ଯମୁନା ରେ ଢେ଼ଉ ଉଠୁ ଅଛି

ପାଉନାହିଁ ଥଳକୂଳ 

ନିନ୍ଦା ଅପବାଦ ହେଉଛି ଏଠାରେ

ଦିନକୁ ଦିନ ପ୍ରବଳ।

ସଖୀ ସହଚରୀ ନିତି ପଚାରନ୍ତି

କୁଞ୍ଜବନ ଯିବା ପାଇଁ

ମନା କରିଲେ ବି ଟାଣି ନେଉଛନ୍ତି

ନେତ୍ର ରୁ ଲୁହ ଝରଇ।

ପଚାରେ ଯମୁନା ପୁଣି ଗୋପାଙ୍ଗନା

କାହିଁ ଗଲେ ତୋର କାହ୍ନା

ନନ୍ଦ ଯଶୋଦା ର ଅଚଳ ଅବସ୍ଥା

ସବୁବେଳେ ଆନମନା।

ଧେନୁ ଗୋଷ୍ଠ ମଧ୍ୟେ ହମ୍ବା ରଡ଼ି କଲେ

ରଡ଼ି ରେ ବି କୃଷ୍ଣ ଡାକ

କୃଷ୍ଣମୟ ଏବେ ସାରା ଗୋପପୁର

କୃଷ୍ଣ ଏକ କୁ ଆରେକ।

ମିଳନ ପାଇଁ ଅସରନ୍ତି ଆଶା

ରହିଛି ମନ ମନ୍ଦିରେ

ବିଚ୍ଛେଦ ଯନ୍ତ୍ରଣା କେଡେ କଷ୍ଟକର

ଜାଣୁଛି ଏବେ ହୃଦରେ।

ଶୟନେ ସପନେ କାହ୍ନା ଛବି ଦିଶେ

ମନ ମୋ ଚହଲି ଯାଏ

ଯିଏ ଯାହା କିଛି କହୁ ବା ନ କହୁ 

ମନ ତୋତେ ଖୋଜୁଥାଏ।

ପ୍ରେମ ପାଗଳି ହୋଇଛି ରେ କାହ୍ନା

କେମିତି କହିବି ତୋତେ

ଜୀବନଟା ମୋର ନିଃସଙ୍ଗତା ରେ

ଭୁଲି ଗଲୁଣି କି ମୋତେ ।

ଚତୁର୍ଦ୍ଦିଗ ଖାଲି ଦିଶେ କୃଷ୍ଣମୟ 

କଲୁ କି ଯାଦୁ ମନ୍ତର

ମୋ ନାମେ ବାଜୁଛି ନିନ୍ଦାର ନାଗରା

କମ୍ପୁଅଛି ଗୋପପୁର।

ତୋ ହୃଦୟ ଭାବନା ବୁଝିଥିଲି ସିନା

ନାହିଁ ମୋର ଅଧିକାର

ଅପେକ୍ଷା କରିବି ମରିବା ପର୍ଯ୍ୟନ୍ତ

ବଞ୍ଚିଥିବା ଯାଏଁ ତୋର ।

ଫେରି ଆରେ କାହ୍ନା ଏ ଗୋପପୁର କୁ

କରିନେ ମୋତେ ନିଜର

ସାଥୀ ହୋଇ ରହି ବଞ୍ଚିବାକୁ ଚାହେଁ

ଜନ୍ମ ଜନ୍ମାନ୍ତରେ ତୋର।

ଛାତିରେ ଲଗାଇ ବାହୁ ବନ୍ଧନରେ

ଆଲିଙ୍ଗନ ପାଇଁ ମନ

ଭୁଲି ଗଲୁଣି କି କୁଞ୍ଜବନ କଥା

ମିଳନ ହୃଦ ସ୍ପନ୍ଦନ।

ଆଉଥରେ ପୁଣି ଆସ ହେ,କହ୍ନେଇ

ଦେଖିବାକୁ ଗୋପପୁର

ପ୍ରେମ ରଜ୍ଜୁରେ ବାନ୍ଧି ରଖ ମୋତେ

ହୋଇଯିବା ଏକାକାର।

ତୁମ ବିନା ଶ୍ୟାମ ଦଶ ଦିଗ ଶୁନ୍ୟ

ଆତ୍ମା ବିନା ଅଛି ପ୍ରାଣ

ବିଚ୍ଛେଦ ବିରହ ସହି ହେଉନାହିଁ

ଆସ ଆସ ପ୍ରାଣଧନ।



Rate this content
Log in

Similar oriya poem from Abstract