STORYMIRROR

madan mohan mohakud

Romance

3  

madan mohan mohakud

Romance

ଜହ୍ନ ଓ ଜୟନ୍ତୀ

ଜହ୍ନ ଓ ଜୟନ୍ତୀ

2 mins
186


  

ଜହ୍ନ ଆଲୁଅ ପରି ଜୟନ୍ତୀ

ଫୁଟି ଆସୁଥିଲା ତୋଫା ସଫା

ଜହ୍ନ ଆଲୁଅ ପରି ଦିନ ପରେ ଦିନ

ଉଜ୍ଜଳି ଉଠୁଥିଲା ତାର ପୁନେଇ ଜହ୍ନ ପରି ଗୋଲ ମୁହଁ

କନକନ ହେଲା ତାର ହରିଣୀ ଆଖି

କଥା ହେବାବେଳେ ନାଚିବା ଆରମ୍ଭ କରୁଥାଏ ଭୁରୁ ଲତା ।

 

ଦୋଳ ପୁନେଇ ଦିନ କୁମ୍ଭବୁଡା ପୋଖରୀ ହୁଡାରେ

ପଦୁଟିଏ କଥା ହୋଇଥିଲା ଜୟନ୍ତ

ସେଇ ସନ କୁଆଁର ପୁନେଇ ଦିନ

ଜୟନ୍ତ ତୋଳି ଦେଇଥିଲା କଇଁ ଫୁଲ ଜୟନ୍ତୀକୁ

ସଞ୍ଜବେଳେ ଚଉଁରା ପିଣ୍ଡି ଚହଟ ଦିଶିବ ବୋଲି ।

 

ଗୁରୁଜନ ବାଡି ପକେଇ ବାରଣ କଲେ

ଜୟନ୍ତର ପତିଆରା ଓ ପାଟକ ଅସମାନ

ଜୟନ୍ତୀ ପକ୍ଷେ ଆନ କାରେ ବରିବା ଅସମ୍ଭବ

ସମର୍ପିତା ହୋଇଛି ଯେଣୁ ମନର ମଣିଷ ପାଖେ

ନିଜର ହୋଇ ରହି ନାହିଁ ମନ ମାନସର ବୈଭବ ।

 

ଜହ୍ନ ବଢୁଥିଲା ଜହ୍ନ ଛିଡୁଥିଲା ଜୟନ୍ତିର ଗାଁ’ରେ କେବଳ   

ଜୟନ୍ତ ସହରେ ଥାଇ ହେଜି ପାରେନା

ଘଡି ମାରି ଜହ୍ନ କେବେ ଆସୁଛି ।

ଜୟନ୍ତିର ବଉଳ ଲବଙ୍ଗ ଅଳେଇଚ

ପିଲା କାଖେଇ ବାପଘର ଆସୁଥିଲେ ଯାଉଥିଲେ  

ଜୟନ୍ତୀ ଫି ବରଷ କୁଆଁର ପୁନେଇରେ

ଚାନ୍ଦ ବନ୍ଦାଣ କରୁଥିଲା କରୁଅଛି

କୁମାରୀରୁ ଯୁବତୀର ଯୌବନ ବିଡମ୍ବିତ

ହେଉଥିଲା ହେଉ ଅଛି ।

 

ସେଦିନ ଆଉ ଏକ କୁଆଁର ପୁନେଇ

ମାଳୀ ମାଉସୀ ଜଣକ ପରେ ଜଣକ ଆଞ୍ଜୁଳାରେ

ଫୁଲ ଦୂବ ଥୋଇ

ବେଗି ବେଗି ଚାନ୍ଦ ବନ୍ଦାଣ କରାଉଥିଲା

ଜହ୍ନ ବୁଢାହେଲେ ଝିଅଙ୍କୁ ବୁଢାବର ମିଳିବ କାଳେ !

ଜୟନ୍ତୀ ଆଞ୍ଜୁଳା ପସାରିଲା

ମାଳୀ ମାଉସୀ ଆଖି କଣେଇ ମୁରୁକିଲା

ତୋର ଆଉ କଅଁଳ ବର ନା ବୁଢା ବର 

ତଫାତ କେତେ ?

 

ଜୟନ୍ତୀ ଜବାବ ଦେଲା

ନାହିଁ ଲୋ ମାଉସୀ ଚିନ୍ତା ନାହିଁ

ମୋର ରାଜା ବୁଢା ହେଉଥିଲେ

ମୁଁ ବି ବୁଢୀ ହେଉଛି

ମୋର ବର ମୋତେ ମିଳି ସାରିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance