ଚାକିରୀ
ଚାକିରୀ
ପାଠ ପଢି ନାହିଁ ମୂରୁଖଟି ମୁହିଁ
ଜାଣିନି ପାଠ ମହତ
ହେଲେ ମୋ ପୁଅକୁ ପାଠ ପଢ଼ାଇଛି
କରି କେତେ ମେହେନତ .।।
ଭଲ ପାଠ ପଢେ ଭଲ ଖେଳ ଖେଳେ
କୁହନ୍ତି ଇସ୍କୁଲ ସାର୍
ଗାଆଁ ଗଣ୍ଡା ନୋକେ କୁହନ୍ତି ମୋ ଆଗେ
ସଚ୍ଚା ପୁଅଟେ ତୋହର.।।
ଶୁଣି ତାର କୀର୍ତ୍ତି ଫୁଲି ଉଠେ ଛାତି
ପାହାଡକୁ ଫୁଲ ପରି
କୋଉଠୁ କେଜାଣି କେତେ ବଳ ପୁଣି
ମାଡ଼ି ଆସେ ବାହୁ ଚିରି.।।
ଆନନ୍ଦେ ମୋହର କଟୁଥିଲା ଦିନ
ବାର ପାଇଟି ମୁଁ କରି
ହେଲେ ସେ ଆନନ୍ଦ ହେଲା ନିରାନନ୍ଦ
ଚାକିରୀ ହେଲା ବଇରୀ.।।
ମିଳିଲା ଚାକିରୀ ଉଚ୍ଚ ଅଧିକାରୀ
ପ୍ରଶଂସାରେ ଦେଲେ ପୋତି
ଭାବିଲି ଜୀବନ ହୋଇଲା ସାର୍ଥକ
ସାର୍ଥକ ମୋ ମେହେନତି.।।
ଚାକିରିଆ ଝିଅ ଭଲ ପାଇ ପୁଅ
ଆଣିଲା ଘରକୁ ବୋହୂ
ମଫସଲି ଘର ମୋ ଚାଳ ଛପର
ଦେଖି ବୋହୂ ରାଉ ରାଉ.।।
କହିଲି ବୁଝାଇ ପାଖରେ ବସାଇ
ପୁଅ ଓ ବୋହୂ ଦୁହିଁଙ୍କୁ
ହାତ ଗୋଡ ମୋର ଚଳୁଥିବା ଯାଏ
ତୁମେ ଯାଅ ସହରକୁ.।।
ତୁମରି ହସରେ ମୋ ଜୀବନ ହସେ
ଯେତେ ଦୁଃଖ ଥାଉ ମୋର
ପୁଅ ବୋହୂ ଗଲେ ସହରେ ରହିଲେ
ବିତି ଗଲା କିଛି କାଳ.।।
ସହରି ଚିକ୍କଣ ତାଙ୍କ ଖାନ ଦାନ
ଗାଆଁକୁ ଗଲେ ସେ ଭୁଲି
ବଳ କମିଲାଣି ଦେହ ଥରିଲାଣି
ଚାଲେ ଏବେ ଟଳି ଟଳି.।।
ପୁଅ ବୋହୂ କେବେ ପାଖ ମାଡନ୍ତିନି
ସମୟ ହୁଏନି ଫାଙ୍କା
ସ୍ନେହ ମମତା କି ଅର୍ଥେ କିଣା ଯାଏ
ପଠାଇ ଦିଅନ୍ତି ଟଙ୍କା.।।
ଆହା ପଦେ କେହି କହିବାକୁ ନାହିଁ
ନିର୍ଜନ ଦ୍ଵୀପରେ ମୁହିଁ
ସବୁ ଥାଇ ଆଜି ପାଶେ ନାହିଁ କିଛି
ଚାକିରୀରେ ବଶ ହୋଇ.।।