ଚାହେଁନା
ଚାହେଁନା
ମୁଁ ଜାଣେନା
ଆଉ କେବେ ହେବକି ନାହିଁ ଦେଖା
ମୁଁ ଚାହେଁନା
କରିବାକୁ ତୋ ସହ ଆଉ ଦେଖା ।
ସୁଖି ଯାଉଥିବା ଘା
ଗଲାଣି ମିଶି ମୋ ଚମରେ
ତାକୁ ଆଉ ଖୁଣ୍ଟି
ରକ୍ତାକ୍ତ ହେବାକୁ ଚାହେଁନା ।
ହୃଦୟ ର ଦାଗ ନ ମିଶିଲେଭି
ଗଲାଣି ଦବି ସ୍ମୃତିର ଅନେକ ସ୍ତର ତଳେ
ତାକୁ ଇତିହାସ ରୁ ଖୋଳି
ବର୍ତ୍ତମାନ କୁ ଧୂଳି ଧୂସର କରିବାକୁ ଚାହେଁନା ।
ତୋ ଶବ୍ଦ ଆଉ ସ୍ୱର ଗଲାଣି ହଜି
ତୋ ବିନା ବଞ୍ଚିବାର କଳା ମଣିଷ ଗଲାଣିଶିଖି
ତୋର ପୁନଃ ଉପସ୍ଥିତିରେ ନୁଆଁ ,
ଜୀବନ କଳା ଆଚରଣ କରିବାକୁ ମୁଁ
ଚାହେଁନା ।
ଚାହେଁନା,ସାଂସାରିକଜୀବନର ସେ ମୋହ ମାୟା
ଏକୁଟିଆରେ କିଛି କଷ୍ଟ ଅଛି
ମାତ୍ର , ତୋ ସହ ରହି
ଆଉ ମାନସିକ ଯନ୍ତ୍ରଣା ଚାହେଁନା ।
ସବୁକିଛି ନିଜ କରିବାକୁ ପଡେ
କେବେ ଜଳେ କେବେ ପୋଡେ
ହେଲେଭି, ସେ ଚାହା କପେ
ତୋ ହାତରୁ ମୁଁ ଆଉ ଚାହେଁନା ।
ତୋ ଉପସ୍ଥିତିରେ
ମୁଁ , ମୋ ଅନେକ ଚାହିଁବାକୁ ମାରିଛି
ଏବେ ତୁ ମୋ ପାଇଁ ମରିଗଲା ପରେ
ମୋ ଜୀବନେ , ପୁଣି ତୋତେ ବଞ୍ଚାଇବାକୁ ଚାହେଁନା ।
