ବାହାଘର ଖଣ୍ଡେ କାଗଜ
ବାହାଘର ଖଣ୍ଡେ କାଗଜ
ମେଳାର ରଙ୍ଗୀନ ଚକ ଭାବି
ହାତ ଧରିଥିଲେ ଦୁହେଁ।
ଲାଗିଥିଲା, ସବୁଦିନ ବୋଧେ ତୂରୀ ବାଜିବ,
ଫୁଲ ଝଡ଼ିବ,
ଚିନିମିଠା ପବନରେ ଉଡିବ ସମୟ।
ବାହାଘର କିନ୍ତୁ କାଚର ଖେଳଣା ନୁହେଁ
ନୁହେଁ ଖାଲି ସେଲ୍ଫି ଆଉ ଭୋଜିର ଧୂଆଁ
ସେଠି ସଞ୍ଜ ନଇଁଲେ ହିସାବ ଥୁଆହୁଏ
ତେଲ, ଲୁଣ, ଔଷଧର ଫର୍ଦ୍ଦ,
ଆଉ ଘର ଚଳେଇବାର ଚୁପ୍ଚାପ୍ ଥକାପଣ।
ପାଚେରି ଡେଇଁବାକୁ ଲୋକେ ସ୍ୱାଧୀନତା କହନ୍ତି
କିନ୍ତୁ ସୀମା ନ ମାନିଲେ, ଘର ତିଷ୍ଠେନାହିଁ
ନିୟମ ନ ମାନିଲେ ସମ୍ପର୍କରେ ଘୃଣା ଲାଗେ
ଯେଉଁମାନେ ଭାବିଥିଲେ ଦୋଳି ଖାଲି ଆକାଶ ଛୁଇଁବ,
ସେମାନେ ତଳକୁ ଖସିବାର ଝଟ୍କା ସହିପାରିଲେ ନାହିଁ।
ଆରମ୍ଭ ହେଲା ଖୋଳତାଡ
ଅଭିଯୋଗର ଫିସ୍ଫିସ୍ ଶବ୍ଦ,
ଫୋନ୍ର ପରଦାରେ ଅବିଶ୍ୱାସର କଳାଦାଗ,
ଆଉ ପ୍ରତି କଥାରେ କଳିର ତୀକ୍ଷ୍ଣ ଚୋଟ
ଦିନେ ଯାହା ଉତ୍ସବ ଥିଲା,
ତାହା ଆଜି କୋର୍ଟ ବାରଣ୍ଡାର କାଗଜ ଖଣ୍ଡେ
ଗୋଟିଏ ଦସ୍ତଖତରେ ସବୁ ଶେଷ
ମଜା ଖୋଜୁ ଖୋଜୁ ଦାୟିତ୍ୱକୁ ଭୁଲିଗଲେ,
ହାତରୁ ଶଙ୍ଖା ଖସିପଡେ
ଆଉ ଛାତି ତଳେ ରହିଯାଏ କେବଳ ଭଙ୍ଗା ମେଳାର ପାଉଁଶ।

