ବ୍ୟଥିତ ପ୍ରାଣର ସ୍ୱର
ବ୍ୟଥିତ ପ୍ରାଣର ସ୍ୱର
ମୁଁ ଯେ ବରଷାର ବେସୁରା ବିତାନ
ଡେଣାହରା ପ୍ରଜାପତି
ଅସହାୟ ମୋର ଆଖିର ଚାହାଣୀ
ଭରସା ବିହୀନ ଛାତି I
ବେଦରଦୀ ତୁମେ ପାଷାଣ ପ୍ରତିମା
ଅନ୍ଧାରେ ଅନ୍ଧାର ରାତି
ନିରବ ହୁଏ ମୁଁ ତୁମେ ସାଜ ଯେବେ
କପଟପଶାର ଗୋଟି I
ତୁମ ଆଖି ତଳେ ଫଗୁଣର ରଙ୍ଗ
ମୋ ଆଖିରେ ଘନକଳା
ତୁମେ ଖୋଜ ସଖୀ ଫୁଲର ସହର
ମୁଁ ଖୋଜେ ବିଦାୟ ବେଳା I
ସୀମାହୀନ ମୋର ଯାତ୍ରା ପଥରେ
ତୁମେ ମୁଣ୍ଡଫଟା ଖରା
ବେଦନାରେ ଭରା ଆଖିରୁ ମୋହର
ଝରେ ଶ୍ରାବଣର ଧାରା I
ତୁମ ଅଧରରେ ଫୁଲେଇ ଫୁଲର
ଅନ୍ତହୀନ ଅଭିଯୋଗ
ବରଷା ରାତିର ନିସ୍ତବ ପ୍ରହରେ
ମୋ ଆଖିରେ ଭରା ମେଘ I
ମୋ ମନ ତଳର ଟାଙ୍ଗର ଭୂଇଁରେ
ତୁମେ କୋଇଲିର କୁହୁ
ସପନ ବିଳାସୀ ମନଟେ ମୁଁ ସଖୀ
ଲୁହ ମୋ ପାଲଟେ ଲହୁ I
