ବ୍ୟଥାଭରା ଅନ୍ତଃସ୍ୱର
ବ୍ୟଥାଭରା ଅନ୍ତଃସ୍ୱର
ଚେନାଏ ହସରେ କିଣିନେଲ ମନ
କରିନେଲି ଆପଣାର
ହୃଦୟ ଭିତରେ ଆବଦ୍ଧ କରିଲି
ସ୍ମୃତି ଆମ ସମ୍ପର୍କର ।
ଆଞ୍ଜୁଳା ଆଞ୍ଜୁଳା ସପନ ବୁଣିଲି
ମନ ଅଗଣାରେ ମୋର
ବିଶ୍ୱାସ ଭରସା ପଣତେ ବାନ୍ଧିଲି
ସତେ ଧନ ଜୀବନର ।
ବେଳାଭୂମି ପରେ ନିଜେ ହସ୍ତେ ଗଢି
ପ୍ରେମଭରା ବାଲିଘର
ତୁମ ପ୍ରତୀକ୍ଷାରେ ଚାହିଁ ରହିଥିଲି
ଦେବି ବୋଲି ଉପହାର ।
ସକାଳ ବିତିଲା ସଞ୍ଜ ବି ବିତିଲା
ରାତ୍ରି କାଟି ଉଜାଗର
ତୁମେ କିନ୍ତୁ ସାଥି ବୁଝିପାରିଲନି
ଭାବାବେଗ ହୃଦୟର ।
ଦଗ୍ଧ ପରାଣର ଜ୍ବଳନ ଭରିଲ
ବ୍ୟଥାଭରା ଅନ୍ତଃସ୍ବର
ନିତି ନୀରବରେ ଗଣ୍ଡସ୍ଥଳ ଛୁଏଁ
ଆଖି ଡେଇଁ ଅଶ୍ରୁଧାର ।

