ବ୍ୟଙ୍ଗ କବିତା: ଗୁପ୍ତକଥା
ବ୍ୟଙ୍ଗ କବିତା: ଗୁପ୍ତକଥା
ଗୁପ୍ତକଥା ପଦେ କହିବି ଭାଇରେ- କାହାକୁ କହିବୁ ନାହିଁ,
ନ ମାନିବୁ ଯଦି ଭାରି ଅସୁବିଧା ପରେ ପସ୍ତେଇବୁ ତୁହି |
ବୟସ କାହାର ସତୁରି ହେଲେବି ବୟସ୍କ କହିବୁ ନାହିଁ,
ଦାନ୍ତ ନଥିଲେ ବି ମହିଳାଙ୍କୁ ଦେଖି ମାଉସୀ ଡାକିବୁ ନାହିଁ |
ବୟସ କାହାକୁ ପଚାରିବୁ ନାହିଁ କହିବେ ନିଶ୍ଚୟ ମିଛ,
ଅସଲ ଚୋରକୁ ଚୋର କହିବାକୁ ବିଚାରିବୁ ଆଗ-ପଛ |
ସୁନ୍ଦରୀଙ୍କୁ ଦେଖି କେବେ କହିବୁନି ସୁନ୍ଦର ଦିଶୁଛ ତମେ,
ଅସୁନ୍ଦରୀ ଥିଲେ ସମ୍ଭାଳି ନେବ ସେ ଖୁସିହେବ ମନେମନେ |
ନିଜକାମ ନିଜ ହାତରେ କଲେ ବି ଏ'କଥା କହିବୁ ନାହିଁ,
ଅଳପ ଧନରେ ଘର ମୁଁ ଚଳାଏ ବିଶ୍ୱାସ କରେନା କେହି | |
କୃପଣ ଉପାଧି ଦେଇ କହିଦେବେ କଅଣ ନେଇକି ଯିବୁ ?
ସୁଖ ଭୋଗ କର ଏଇ ସଂସାରରେ ଯେତେଦିନ ରହିଥିବୁ |
