ବ୍ୟାସକବି ଫକୀରମୋହନ
ବ୍ୟାସକବି ଫକୀରମୋହନ
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
ପୂଜ୍ୟ ବ୍ୟାସକବି ଫକୀରମୋହନ।
ମଲ୍ଲୀକାଶ ପୁର, ଜିଲ୍ଲା ବାଲେଶ୍ବରେ,
ଜନମ ତୁମ୍ଭର ଦାରିଦ୍ର୍ୟ ଭିତରେ।
ଅଠରଶ ତେୟାଳିଶ ମସିହାରେ,
ଜନ୍ମ ନେଇଥିଲ ମାହେନ୍ଦ୍ର ବେଳାରେ।
ଶ୍ରୀମତୀ ତୁଳସୀ ଦେବୀ ତୁମ୍ଭ ମାତା,
ଶ୍ରୀଯୁକ୍ତ ଲକ୍ଷ୍ମଣ ସେନାପତି ପିତା।
ମାତ୍ର ଦେଢବର୍ଷ ବୟସ କାଳରେ,
ଛାଡି ଚାଲିଗଲେ ପିତା ଆରପାରେ।
ହୋଇଥିଲ ତିନି ବର୍ଷର ବାଳକ,
ଚାଲିଗଲେ ମଧ୍ୟ ମାତା ପରଲୋକ।
ଦୁର୍ବଳ ଶରୀର ଧନ ଅନଟନ,
ବିଦ୍ୟାଶିକ୍ଷା ପଥେ ସାଜିଲା ବାରଣ।
ସହଜେ ତ ଈର୍ଷା ଥିଲା ଜ୍ଞାତିଙ୍କର,
ଭିକ୍ଷାମାଗି ବାଲ୍ୟଶିକ୍ଷା ଶେଷ କଲ।
ଋଦ୍ଧିମନ୍ତ କଲ ଓଡ଼ିଆ ସାହିତ୍ୟ,
ତେଣୁ ବ୍ୟାସକବି ନାମେ ପରିଚିତ।
ମକର ସଂକ୍ରାନ୍ତି ତୁମ୍ଭ ଜନ୍ମଦିନ,
ସଂକ୍ରାନ୍ତି ପୁରୁଷ ବହିଅଛ ନାମ।
ଫକୀର ନଥିଲା ତୁମ୍ଭ ବାଲ୍ୟ ନାମ,
ନାମ ଥିଲା ତୁମ ଶ୍ରୀବ୍ରଜମୋହନ।
ଫକୀର ନାମଟି ଦେଲେ ଜେଜେ ମା,
କି ସ୍ନେହରଙ୍କୁଣୀ ଥିଲେ ସତେ ଆହା!
ଦୁର୍ବଳ ଶରୀର ଦେଖିଣ ତୁମ୍ଭର,
ନିଅନ୍ତି ଜେଜେ ମା ଫକୀରଙ୍କ ଘର।
ତାଙ୍କ ଆଶୀର୍ବାଦେ ସୁସ୍ଥ ହେଲ ଯେଣୁ,
ଜେଜେ ମା' ଫକୀର ନାମ ଦେଲେ ତେଣୁ।
'ବାରବାଟୀ' ବୋଲି ସ୍କୁଲ ଗୋଟିଏ,
ବାଲେଶ୍ଵରରେ ସେ ସମୟରେ ଥାଏ।
ତହିଁ ମାଇନର ବିଦ୍ୟା ଶେଷକରି,
ସେଠାରେ କରିଲ ମାଷ୍ଟର ଚାକିରି।
ଦରମା ଦି'ଟଙ୍କା ପଚାଶ ପଇସା,
କେମିତି ଚଳିବି ସଂସାର ବେଉସା?
ଜନ୍ ବିମ୍ସ ଵାଲେଶ୍ବର କଲେକ୍ଟର,
ତୁମ୍ଭ ଗୁଣ ଦେଖି ହୋଇଲେ ବିଭୋର।
ଥିଲ ଜ୍ଞାନବନ୍ତ ପୁଣି ବୁଦ୍ଧିମାନ,
ନୀଳଗିରି ରାଜ୍ୟେ ହୋଇଲ ଦିଓ୍ବାନ।
ଡମପଡା,ଦଶପଲ୍ଲା, ଢେଙ୍କାନାଳ
ରାଇଜେ ଦିୱାନ ଚାକିରି କରିଲ।
ଓଡ଼ିଆ ଭାଷାକୁ ତୁମ୍ଭ ଅବଦାନ,
ଭୁଲିବା ସହଜ ନୁହେଁ ହେ ମହାନ !
କଥା ସାହିତ୍ୟର ତୁମ୍ଭେ ସେନାପତି,
'ଛଅମାଣ ଆଠଗୁଣ୍ଠ' ତୁମ୍ଭ କୃତି।
'ମାମୁଁ' 'ପ୍ରାୟଶ୍ଚିତ' 'ଲଛମା' ରଚିଲ,
ଓଡ଼ିଆ ସାହିତ୍ୟ ମୂଳ ଦୃଢ କଲେ।
ଓଡ଼ିଆ ଭାଷାର ଶ୍ରେଷ୍ଠ କଥାକାର,
ଧର୍ମପଦ ତୁମେ ଭାଷା କୋଣାର୍କର।
ଲେଖିଗଲ କାଳଜୟୀ କ୍ଷୁଦ୍ରଗଳ୍ପ,
ଜାଣିଛି ସେ ପଡ଼ିଛି ଯେ 'ଗଳ୍ପସ୍ବଳ୍ପ'।
'ପେଟେଣ୍ଟ ମେଡିସିନ' 'ରେବତୀ' ଆବର,
'ଡାକମୁନସୀ' କ୍ଷୁଦ୍ର ଗଳ୍ପ ମଧ୍ୟେ ସାର।
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନେ,
ତୁମ୍ଭ ଅବଦାନ ରହିଥିବ ମନେ।
ଓଡ଼ିଆ ଜାତିର ଅସ୍ମିତା ଉପରେ,
ପ୍ରଶ୍ନ ଉଠିଥିଲା ସେହି ସମୟରେ।
ଓଡ଼ିଆ ସ୍ବତନ୍ତ୍ର ଭାଷା ନୁହେଁ ବୋଲି,
ପଡୋଶୀ କହିଲେ ଚାରିଆଡେ ବୁଲି।
ସାଜି ଭାଷା ଆନ୍ଦୋଳନର ପୁରୋଧା,
ପଡୋଶୀ ରାଜ୍ୟକୁ କରିଦେଲ ସିଧା।
ବସାଇ ମୁଦ୍ରଣାଳୟ ଓଡ଼ିଶାରେ,
ପୁସ୍ତକ ଛାପିଲ ଅନେକ ପ୍ରକାରେ।
ବରପୁତ୍ର ! ତୁମ୍ଭ ପ୍ରଚେଷ୍ଟାର ଫଳ,
ଗଠିତ ହୋଇଲା ସ୍ବତନ୍ତ୍ର ଉତ୍କଳ।
କାଳ ଉପରେ ବା ଆୟତ୍ତ କାହାର,
ଆସିଲା ସମୟ ମହାପ୍ରୟାଣର।
ଉଣେଇଶହ ଅଠର ସମ୍ବତ୍ସରେ,
ଚଉଦ ତାରିଖ ଜୁନ ମାସରେ।
ଚାଲିଗଲ ତୁମେ ତେଜି ଧରାଧାମ,
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ।
ନବ ଉତ୍କଳର କୁଶଳୀ ବିନ୍ଧାଣି,
ଫକୀର ମୋହନ ସମୁଜ୍ଜ୍ବଳ ମଣି।
ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟ ଆକାଶର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ।ସେ ଅଠରଶହ ତେୟାଳିଶି ମସିହା ଜାନୁଆରୀ ମାସ ତେର ତାରିଖରେ ବାଲେଶ୍ଵର ଜିଲ୍ଲାର ମଲ୍ଲୀକାଶ ପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟକାଳରୁ ସେ ପିତାମାତାଙ୍କୁ ହରାଇ ଥିଲେ।ତାଙ୍କୁ ଯେତେବେଳେ ମାତ୍ର ଦେଢବର୍ଷ ବୟସ ସେତେବେଳେ ତାଙ୍କର ପିତୃବିୟୋଗ ଘଟିଲା। ତିନି ବର୍ଷ ସମୟରେ ମାତା ମଧ୍ୟ ତାଙ୍କୁ ସଂସାରରେ ଏକା ଛାଡ଼ି ଚାଲିଗଲେ। କ୍ଷୀଣସ୍ବାସ୍ଥ୍ୟ ଏବଂ ଅର୍ଥାଭାବ ତାଙ୍କ ବିଦ୍ୟାଶିକ୍ଷାରେ ବାଧକ ସାଜିଥିଲା। ଭିକ୍ଷା କରି ସେ ବାଲେଶ୍ବରର ବାରବାଟି ମାଇନର ସ୍କୁଲରୁ ସ୍କୁଲଶିକ୍ଷା ଶେଷ କରିଥିଲେ।ସେହି ବିଦ୍ୟାଳୟରେ ସେ ଅଠର ବର୍ଷ ବୟସରେ ଶିକ୍ଷକତା କରିଥିଲେ।ଦରମା ଥିଲା ମାତ୍ର ଦୁଇଟଙ୍କା ପଚାଶ ପଇସା।ସେ ଜଣେ ବୁଦ୍ଧିମାନ ଏବଂ ପଣ୍ଡିତ ବ୍ୟକ୍ତି ଥିଲେ।ପରେ ସେ ନୀଳଗିରି, ଢେଙ୍କାନାଳ,ଡମପଡା ଓ ଦଶପଲ୍ଲା ଗଡଜାତରେ ଦିୱାନ ଚାକିରି କରିବାପରେ ତାଙ୍କର ଆର୍ଥିକ ସ୍ବଚ୍ଛଳତା ଆସିଥିଲା।ସେ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଥିଲେ।ତାଙ୍କ କୃତି ଓଡ଼ିଆ ସାହିତ୍ୟକୁ ଏକ ସମ୍ମାନ ଜନକ ସ୍ଥାନ ଦେଇଥିଲା। ଯେଉଁ ମାନେ କହୁଥିଲେ ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ ସେମାନଙ୍କ ମୁହଁ ବନ୍ଦ ହୋଇଗଲା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଅବିସ୍ମରଣୀୟ। ସାହିତ୍ୟର ଏହି ମହାରଥୀ ଉଣେଇଶ ଅଠର ମସିହା ଜୁନ ମାସ ଚଉଦ ତାରିଖ ଦିନ ସଂସାର ତ୍ୟାଗ କରି ଚାଲି ଗଲେ।
,
